Categories: ଜାତୀୟ

ରାଜୌରୀ-ପୁଞ୍ଚ୍‌ରେ ମୋର୍ଟାର ଶେଲିଂ ମାଡ଼ କଲା ପାକିସ୍ତାନ

ଶ୍ରୀନଗର,୧୨।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଜାଣିଶୁଣି ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଗୁରୁବାର ପୂର୍ବାହ୍ନ ୯ଟାରେ ପୁଞ୍ଚ୍‌ ଏବଂ ରାଜୌରୀ ଜିଲାରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ପୁଞ୍ଚ୍‌ ଜିଲାର ଶାହପୁର, କେର୍ନି ଏବଂ କ୍ୱସବା ସେକ୍ଟର ଉପରେ ଘନ ଘନ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ସେହିପରି ରାଜୌରୀ ଜିଲାର ନୌସେରା ସେକ୍ଟରରେ ମଧ୍ୟ ମୋର୍ଟାର ମାଡ଼ କରାଯାଇଛି। ଏହାର ଜବାବରେ ଭାରତୀୟ ଫରଓ୍ବାର୍ଡପୋଷ୍ଟ ଗୁଡ଼ିକରୁ ପାକିସ୍ତାନ ପୋଷ୍ଟକୁ ଲକ୍ଷ୍ୟ କରି ଗୁଳିଗୋଳା ମାଡ଼ କରାଯାଇଛି। ଅସ୍ତ୍ରବିରତି ଉଲ୍ଲଘଂନ ଆଳରେ ପାକିସ୍ତାନ ଲଞ୍ଚପ୍ୟାଡ୍‌ରୁ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ଷଡ଼ଯନ୍ତ୍ର ରଚିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୋଇନ୍ଦା ରିପୋର୍ଟ ଆଧାରରେ ଏଲଓସିରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Share