Categories: ଜାତୀୟ

କରୋନା କାଳରେ ବି ବାଦ୍‌ ପଡ଼ୁନି ପାକିସ୍ତାନ: ଡ୍ରୋନ୍‌ ଜରିଆରେ ପଠାଉଛି ଅସ୍ତ୍ରଶସ୍ତ୍ର

ଶ୍ରୀନଗର,୧୬।୫: ଗୋଟିଏ ପଟେ ସାରା ଦେଶ କରୋନା ସହ ଲଢ଼େଇ କରୁଥିବା ବେଳେ ନିଜ କାର୍ଯ୍ୟକଳାପରୁ ବାଦ୍‌ ପଡ଼ୁନି ପାକିସ୍ତାନ। ଭାରତ ସହ ଶତ୍ରୁତା କରିବା ପାଇଁ କୌଣସି ସୁଯୋଗର ହାତଛଡ଼ା କରୁନାହିଁ। ଇତିମଧ୍ୟରେ ଶନିବାର ଓ ରବିବାର ରାତ୍ର ମଧ୍ୟରେ ଜମ୍ମୁର କାନାଚକ ସେକ୍ଟରରେ ପାକିସ୍ତାନ ଡ୍ରୋନ ଜରିଆରେ ଅନୁପ୍ରବେଶ କରିଥିବା ସୂଚନା ମିଳିଛି। ଡ୍ରୋନ୍‌ର ଅନୁପ୍ରବେଶ ପରେ ଜମ୍ମୁ-କଶ୍ମୀର ପୋଲିସ ସମେତ ସେନା ଓ ଅର୍ଦ୍ଧସୈନିକ ବଳଙ୍କ ମିଳିତ ଉଦ୍ୟମରେ କାନାଚକ ସେକ୍ଟର ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା। ଏହି ସମୟରେ କାନାଚକ ଥାନା ଅନ୍ତର୍ଗତ ଗଜନସୁ ଅଞ୍ଚଳରେ କିଛି ଗାଁ ଲୋକ ପାକିସ୍ତାନୀ ଡ୍ରୋନ ଉଡୁଥିବାରୁ ଦେଖିବାକୁ ପାଇଥିଲେ ବୋଲି କହିଛନ୍ତି। କୁହାଯାଉଛି, ଏହି ଡ୍ରୋନ୍‌ ଜରିଆରେ ପାକିସ୍ତାନ କୌଣସି ସନ୍ଦିଗ୍ଧ ଜିନିଷ କିମ୍ବା ଅସ୍ତ୍ରଶସ୍ତ୍ର ଭାରତକୁ ପଠାଇବାକୁ ଉଦ୍ୟମ କରୁଛି। କିନ୍ତୁ ଏହି ଅପରେସନ୍‌ରେ କୌଣସି ପ୍ରକାରର ସନ୍ଦିଗ୍ଧ ଜିନିଷ ସୁରକ୍ଷାକର୍ମୀଙ୍କ ହାତରେ ଲାଗିନାହିଁ। ଅନ୍ୟପଟେ ଉକ୍ତ ଅଞ୍ଚଳରେ ଘେରାବନ୍ଦୀ କରାଯାଇ ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି ଏବଂ ସୁରକ୍ଷାକର୍ମୀ ପାକିସ୍ତାନ ଉପରେ କଡ଼ା ନଜର ରଖିଛନ୍ତି। ଏହାପୂର୍ବରୁ ଶନିବାର ଜମ୍ମୁର ସାମ୍ବା ସେକ୍ଟରରେ ପାକିସ୍ତାନ ଡ୍ରୋନ୍‌ ଜରିଆରେ ବିପୁଳ ପରିମାଣର ଗୋଳାବାରୁଦ ଓ ଏକେ-୪୭ ରାଇଫଲ ସମେତ ଏକ ବନ୍ଧୁକ ପଠାଇଥିଲା। ଏହାକୁ ସୁରକ୍ଷାକର୍ମୀ ଗୁଳିମାରି ଖସାଇବା ପରେ ଏସବୁ ଜିନିଷ ଜବତ କରାଯାଇଥିଲା।

Share