ସାରା ରାତି ଅନ୍ଧାରରେ ପାକିସ୍ତାନ

ଇସଲାମାବାଦ୍‌,୧୦।୧: ପାକିସ୍ତାନ ଶନିବାର ରାତି ସାରା ଅନ୍ଧାରରେ ରହିଛି। ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ରାଜଧାନୀ ଇସଲାମାବାଦଠାରୁ ଆରମ୍ଭ କରି ଲାହୋର, ପେଶଓ୍ବର, ରାଓ୍ବଲପିଣ୍ଡି ଏବଂ କରାଚି ଆଦି ଦେଶର ସମସ୍ତ ସହର ବାସିନ୍ଦା ହଇରାଣ ହୋଇଛନ୍ତି। ଏନେଇ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଶନିବାର ରାତ୍ର ୧୧ଟା ୪୧ରୁ ପାଓ୍ବାର ସିଷ୍ଟମ୍‌ର ଫ୍ରିକ୍ୱେନ୍ସି ହଠାତ୍‌ ୫୦ରୁ ଶୂନ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଫଳରେ ସାରା ଦେଶ ବ୍ଲାକ୍‌ ଆଉଟ୍‌ ହୋଇଯାଇଥିଲା। ବିଳମ୍ବିତ ରାତ୍ର ୧ଟା ୪୫ରେ କେତେକ ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଣ ଆରମ୍ଭ ହୋଇଥିବାବେଳେ ଅନ୍ୟ ଅଞ୍ଚଳ ସେହିପରି ଅନ୍ଧାରରେ ରହିଥିବା ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ୨୦୧୮ରେ ମଧ୍ୟ ପାକିସ୍ତାନରେ ୨ ଥର ବ୍ଲାକ୍‌ ଆଉଟ୍‌ ହୋଇଥିଲା। ୨୦୧୫ରେ ଆନ୍ଦୋଳନକାରୀ ପାଓ୍ବାର ଗ୍ରୀଡ୍‌ ଉପରେ ଆକ୍ରମଣ କରିବାରୁ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା।

Share