ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ (PTI) ମୁଖ୍ୟ ଇମ୍ରାନ ଖାନ୍ଙ୍କ ଭଉଣୀ ଅଲିମା ଖାନ୍ଙ୍କୁ ଲାହୋର ପୋଲିସ୍ ଗିରଫ କରିଛି । ରବିବାର ତାଙ୍କ ଲାହୋରସ୍ଥିତ ବାସଭବନରୁ ତାଙ୍କୁ ହେପାଜତକୁ ନିଆଯାଇଥିବା ଖବର ସାମ୍ନାକୁ ଆସିଛି । ୨୭ ସେପ୍ଟେମ୍ବରରେ PTI ପକ୍ଷରୁ ଇମ୍ରାନ ଖାନ୍ଙ୍କ ମୁକ୍ତି ଦାବିରେ ପ୍ରସ୍ତାବିତ ରାଷ୍ଟ୍ରବ୍ୟାପୀ ବିରୋଧ ପୂର୍ବରୁ ଏହି ଗିରଫଦାରୀ ହୋଇଛି।
ଅଲିମା ଖାନ୍ ଇମ୍ରାନ ଖାନ୍ଙ୍କ ସମର୍ଥନରେ ହେବାକୁ ଥିବା ଆନ୍ଦୋଳନର ପ୍ରସ୍ତୁତି ଓ ରଣନୀତିରେ ସକ୍ରିୟ ଥିଲେ । ତେବେ ତାଙ୍କୁ କେଉଁ କାରଣରୁ ଗିରଫ କରାଯାଇଛି, ସେନେଇ ଲାହୋର ପୋଲିସ୍ କିମ୍ବା ସରକାରଙ୍କ ପକ୍ଷରୁ ତୁରନ୍ତ କୌଣସି ଅଧିକାରିକ ବିବୃତି ଦିଆଯାଇନାହିଁ। PTI ଆସନ୍ତା ୨୭ ସେପ୍ଟେମ୍ବରରେ ଇସ୍ଲାମାବାଦ ଅଭିମୁଖେ ମାର୍ଚ୍ଚ କରିବାକୁ ଘୋଷଣା କରିଛି । ଦଳର ପ୍ରମୁଖ ଦାବି ମଧ୍ୟରେ ଇମ୍ରାନ ଖାନ୍ଙ୍କ ମୁକ୍ତି ରହିଛି । PTI ଅଧ୍ୟକ୍ଷ ବାରିଷ୍ଟର ଗୋହର ଅଲି ଖାନ୍ ଏହି ମାର୍ଚ୍ଚକୁ ଶାନ୍ତିପୂର୍ଣ୍ଣ ରଖିବା କଥା କହିଥିଲେ। ଆନ୍ଦୋଲନ ପୂର୍ବରୁ ଇସ୍ଲାମାବାଦରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ରିପୋର୍ଟ ଅନୁସାରେ, ପୋଲିସ୍ PTI କାର୍ଯ୍ୟକର୍ତ୍ତାଙ୍କ ଗତିବିଧି ଉପରେ ନଜର ରଖିବା ସହ ରାଜଧାନୀର ପ୍ରବେଶପଥଗୁଡ଼ିକରେ ସୁରକ୍ଷା ବଢ଼ାଇଛି।
ଅଲିମା ଖାନ୍ଙ୍କ ଗିରଫଦାରୀ ପୂର୍ବରୁ ଇସ୍ଲାମାବାଦ ପୋଲିସ୍ ୪ ଜଣ PTI କର୍ମୀ ଓ ସମର୍ଥକଙ୍କୁ ହେପାଜତକୁ ନେଇଥିଲା। ୨୭ ସେପ୍ଟେମ୍ବରର ମାର୍ଚ୍ଚ ସମ୍ପର୍କିତ ଏକ ବୈଠକ ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ପୋଲିସ୍ ସେମାନଙ୍କ ବିରୋଧରେ ଦଙ୍ଗା, ସରକାରୀ କାର୍ଯ୍ୟରେ ବାଧା ଏବଂ ପୋଲିସ୍ ଉପରେ ଆକ୍ରମଣ ସମେତ ବିଭିନ୍ନ ଅଭିଯୋଗ ଲଗାଇଛି। ଇମ୍ରାନ ଖାନ୍ ୨୦୨୩ ଅଗଷ୍ଟରୁ ଜେଲ୍ରେ ଅଛନ୍ତି। ତାଙ୍କ ପରିବାର ତାଙ୍କ ସ୍ୱାସ୍ଥ୍ୟ ଓ ଜେଲ୍ରେ ଚିକିତ୍ସା ସମ୍ପର୍କରେ ବାରମ୍ବାର ଚିନ୍ତା ପ୍ରକାଶ କରିଆସିଛନ୍ତି। PTI ମଧ୍ୟ ତାଙ୍କ ଚିକିତ୍ସା ଓ ଆଇନଗତ ଅଧିକାରକୁ ନେଇ ଦାବି କରିଛି । ଅଲିମା ଖାନ୍ଙ୍କ ଗିରଫଦାରୀ ପରେ ୨୭ ସେପ୍ଟେମ୍ବରର PTI ମାର୍ଚ୍ଚକୁ ନେଇ ପାକିସ୍ତାନରେ ରାଜନୈତିକ ଉତ୍ତେଜନା ଆହୁରି ବଢ଼ିଛି ।