ଆମେରିକାରେ ଅପମାନିତ ହେଲା ପାକିସ୍ତାନ: ଭାରତକୁ ଦେଲା ଦୋଷ

ୱାଶିଂଟନ,୧।୨: ପାକିସ୍ତାନ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହୋଇଛି। ଆମେରିକାର ସାଂସଦ ସ୍କଟ ପେରି ମାସୁଦ ଖାନଙ୍କୁ ପାକିସ୍ତାନର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତିକୁ ବିରୋଧ କରି ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହଟାଇବାକୁ ନିବେଦନ କରିଛନ୍ତି। ବାଇଡେନଙ୍କୁ ଲେଖିଥିବା ପତ୍ରରେ ପେରି ମାସୁଦ ଖାନଙ୍କୁ ‘ଜିହାଦି’ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ନିକଟରେ ପାକିସ୍ତାନ ହିଜବୁଲ ସମର୍ଥକ ମାସୁଦ ଖାନଙ୍କୁ ଆମେରିକାର ନୂତନ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଥିଲା।
ସ୍କଟ ପେରି ରାଷ୍ଟ୍ରପତଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ମୁଁ ଜାଣି ଖୁସି ଯେ ବିଦେଶ ମନ୍ତ୍ରଣାଳୟ ପାକିସ୍ତାନର ନୂତନ ରାଷ୍ଟ୍ରଦୂତ ଭାବରେ ମାସୁଦ ଖାନଙ୍କ ଅନୁମୋଦନ ଉପରେ ରୋକ ଲଗାଇଛି। ମାସୁଦ ଖାନଙ୍କ ଦ୍ୱାରା ଉପସ୍ଥାପିତ କୌଣସି କୂଟନୈତିକ ପ୍ରମାଣପତ୍ରକୁ ପ୍ରତ୍ୟାଖ୍ୟାନ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ବୋଲି ଚିଠିରେ ଉଲ୍ଲେଖ ରହିଛି।ପେରି ଆହୁରି ମଧ୍ୟ କହିଛନ୍ତି ଯେ ଇମ୍ରାନ ଖାନ ସରକାର ଆମର ସ୍ବାର୍ଥକୁ କ୍ଷୁର୍ଣ୍ଣ କରିବା ପାଇଁ କାର୍ଯ୍ୟ କରୁଥିବା ପ୍ରକୃତ ଆତଙ୍କବାଦୀଙ୍କୁ ରାଷ୍ଟ୍ରଦୂତ ପାଇଁ ମନୋନୀତ କରିଛନ୍ତି। ତେବେ ଏହି ଘଟଣା ପରେ ପାକିସ୍ତାନ ଏବେ ଭାରତ ଉପରେ ରାଗ ସୁଝାଇଛି। ପାକିସ୍ତାନର ଅଭିଯୋଗ ହେଉଛି, ଭାରତ ତାର ଛବି ଖରାପ କରୁଛି। ଭାରତୀୟ ଗଣମାଧ୍ୟରେ ପ୍ରସାରିକ ଖବରକୁ ନେଇ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅସିମ ଇଫ୍‌ତିକର ମଙ୍ଗଳବାର କହିଛନ୍ତି, ଏସବୁ ଖବର ଭିତ୍ତିହୀନ ଏବଂ ଆମେରିକାରେ ମସୁଦ ଖାନଙ୍କ ନିଯୁକ୍ତିକୁ ନେଇ ପ୍ରକ୍ରିୟା ଚାଲିଛି। ସୂଚନାଯୋଗ୍ୟ,ମାସୁଦ ଖାନ ପାକିସ୍ତାନର ଜଣେ କଠୋରପନ୍ଥୀ ବ୍ୟୁରୋକ୍ରାଟ୍‌। ସେ କଶ୍ମୀରରେ ନିହତ ହୋଇଥିବା ଅନେକ ଆତଙ୍କବାଦୀଙ୍କୁ ସହାୟତା କରୁଥିବା କୁହାଯାଏ।

Share