କରୋନା ପରେ ଦାଉ ସାଧିଲା ବନ୍ୟା: ୧୦୦ ମୃତ

ଇସ୍‌ଲାମାବାଦ,୨୭।୮: ପାକିସ୍ତାନରେ ପ୍ରଥମେ ଅର୍ଥ ବ୍ୟବସ୍ଥା ବିଗିଡି ଯିବା ସହ କରୋନା ସଂକ୍ରମଣ ସରକାରଙ୍କୁ ଅଡୁଆରେ ପକାଇଥିଲା। ଆଉ ଏବେ ପୁଣିଥରେ ଚିନ୍ତା ବଢାଇଛି ମୌସୁମୀ ବର୍ଷା। ଅତ୍ୟଧିକ ବର୍ଷା ଫଳରେ ପାକିସ୍ତାନର ଅଧିକାଂଶ ଅଞ୍ଚଳରେ ବନ୍ୟା ହେବା ସହ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି ଓ ହଜାର ହଜାର ଲୋକ ବାସଶୂନ୍ୟ ହୋଇପଡିଛନ୍ତି। ଗତ ପ୍ରାୟ ୪ ଦିନ ହେବ ସେଠାରେ ବର୍ଷା ଲାଗି ରହିଥିବା ସୂଚନା ରହିଛି। ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ସୂଚନା ଅନୁଯାୟୀ, ମଙ୍ଗଳବାର କରାଚିର ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରବେଶ କରିଥିଲା। ଏହାସହ ପାକିସ୍ତାନର ଅଧିକାଂଶ ସିଓ୍ବେଜ୍‌ ଖରାପ ହୋଇ ଯାଇଥିବାରୁ ରାସ୍ତାରେ ପାଣି ଜମା ହୋଇ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରୁଥିବା କୁହାଯାଇଛି। ଏହି ମୌସୁମୀ ବର୍ଷାରେ ବଲୁଚିସ୍ତାନରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାର ପଶ୍ଚିମ ଅଞ୍ଚଳରେ ମଧ୍ୟ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ପିଓକେରେ ମଧ୍ୟ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ କରାଚିରେ ଆଗାମୀ ଦିନରେ ପ୍ରବଳ ବର୍ଷା ହେବାର ଅନୁମାନ କରିଛି ପାଣିପାଗ ବିଭାଗ।

Share