ଖାଦ୍ୟ ସଙ୍କଟ ମୁକାବିଲା କରିବାରେ ପାକିସ୍ତାନ ବିଫଳ: କରାଚି ବନ୍ଦରରେ ଅଟକି ରହିଲା ହଜାର ହଜାର ଖାଦ୍ୟ ସାମଗ୍ରୀ କଣ୍ଟେନର

ଇସଲାମାବାଦ,୧୩ା୧: ଗହମ ଅଭାବ ମଧ୍ୟରେ ପାକିସ୍ତାନୀ ବ୍ୟାଙ୍କଗୁଡ଼ିକ ବିଦେଶୀ ମୁଦ୍ରା ଦେୟ ଦେବାକୁ ଅନିଚ୍ଛା ପ୍ରକାଶ କରି କରାଚି ବନ୍ଦରରେ ହଜାର ହଜାର ପରିବହନ ସାମଗ୍ରୀକୁ ବନ୍ଦ କରି ଦେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏଠାରେ ଅନେକ ଖାଦ୍ୟ ସାମଗ୍ରୀ ଅଛି, ଯାହା ନଷ୍ଟ ହୋଇଯାଇପାରେ। ଏପରିକି ଅନେକ ଜରୁରୀ ଔଷଧ ମଧ୍ୟ ଅଛି। ବର୍ତ୍ତମାନ ପାକିସ୍ତାନ ଗହମ ଅଭାବର ସବୁଠାରୁ ଖରାପ ପରିସ୍ଥିତିର ସମ୍ମୁଖୀନ ହେଉଛି। ଖେବର, ପଖତୁନ୍‌ଖଓ୍ବା, ସିନ୍ଧ୍‌ ଏବଂ ବାଲୁଚିସ୍ତାନ ପ୍ରଦେଶର ଅନେକ ଅଞ୍ଚଳରେ ଗହମର ଅଭାବ ଦେଖାଦେଇଛି।

ପାକିସ୍ତାନରେ ଚାଲିଥିବା ସଙ୍କଟ ମଧ୍ୟରେ ଗହମ ଏବଂ ଅଟାର ମୂଲ୍ୟ ଆକାଶଛୁଆଁ ହୋଇଛଇ। କରାଚିରେ ଅଟା କିଲୋଗ୍ରାମ ୧୪୦ରୁ ୧୬୦ରେ ବିକ୍ରି ହେଉଛି। ଇସଲାମାବାଦ ଏବଂ ପେଶଓ୍ବାରରେ ୧୦ କିଲୋଗ୍ରାମ ଅଟା ବ୍ୟାଗ୍‌ ପିଛା ୧୫୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ୨୦ କିଲୋଗ୍ରାମ ଅଟା ବ୍ୟାଗ୍‌ ୨୮୦୦ ଟଙ୍କାରେ ବିକ୍ରି ହେଉଛି। ପଞ୍ଜାବ ପ୍ରଦେଶର ମିଲ ମାଲିକମାନେ ଅଟା ମୂଲ୍ୟ କିଲୋଗ୍ରାମ ପିଛା ୧୬୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ପାକିସ୍ତାନର ଖେବର ପଖତୁନ୍‌ଖଓ୍ବା ମଧ୍ୟ ଅଟା ସଙ୍କଟର ସବୁଠାରୁ ଖରାପ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏଠାରେ ୨୦ କିଲୋଗ୍ରାମ ବ୍ୟାଗ୍‌ ଅଟା ୩୧୦୦ ଟଙ୍କାରେ ବିକ୍ରି ହେଉଛି। ସରକାର ଦାମକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଏପରି ଘଟୁଛି।

Share