ଓ୍ବାଶିଂଟନ୍,୧୧।୮: ଡୋନାଲ୍ଡ ଟ୍ରମ୍ପ ଏବଂ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ପ୍ରସ୍ତାବିତ ଶାନ୍ତି ଆଲୋଚନା ବିଶ୍ୱ କୂଟନୀତି ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ । ସେତିକି ଏହା ଭାରତ ପାଇଁ ଏକ ରଣନୈତିକ ମୋଡ଼। ଭାରତ, ଯାହା ସାଧାରଣତଃ ଦ୍ୱିପାକ୍ଷିକ ବିବାଦରୁ ଦୂରେଇ ରଖେ, ଏଥର କେବଳ ଆଲୋଚନାକୁ ସମର୍ଥନ କରୁନାହିଁ, ବରଂ ପରୋକ୍ଷ ଭାବରେ ଏହାର ଦିଗରେ ମଧ୍ୟ ନିଜର ଭୂମିକା ଗ୍ରହଣ କରୁଛି। ଏହି ପରିସ୍ଥିତି ଭାରତର ରଣନୈତିକ ସ୍ବାୟତ୍ତତା, ଶକ୍ତି ନୀତି ଏବଂ ବିଶ୍ୱ ସନ୍ତୁଳନରେ ଏହାର ବର୍ଦ୍ଧିତ ଭୂମିକାକୁ ସାମ୍ନାକୁ ଆଣେ।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏଥର ଟ୍ରମ୍ପ-ପୁଟିନ ଆଲୋଚନାକୁ ଖୋଲାଖୋଲି ସମର୍ଥନ କରିଛି ଏବଂ ଏହାକୁ ୟୁକ୍ରେନ ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି କହିଛି। ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ ରୁଷିଆ ସହିତ ଭାରତର ସମ୍ପର୍କ ସ୍ବାଧୀନ ଏବଂ ଏହାକୁ କୌଣସି ତୃତୀୟ ପକ୍ଷ ଦୃଷ୍ଟିକୋଣରୁ ଦେଖାଯିବା ଉଚିତ୍ ନୁହେଁ। ଏହି ବିବୃତ୍ତି ଗୁରୁତ୍ୱପୂର୍ଣ୍ଣ କାରଣ ଭାରତ ସାଧାରଣତଃ ଏପରି ବିବାଦରେ ସାର୍ବଜନୀନ ଭାବରେ ପକ୍ଷ ଗ୍ରହଣ କରେ ନାହିଁ, କିନ୍ତୁ ଏଥର ପରିସ୍ଥିତି ଭିନ୍ନ।
ରୁଷିଆର ପାରମ୍ପରିକ ରଣନୈତିକ ସହଯୋଗୀ ଭାରତ, ୨୦୨୨ରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷିଆ ଅଶୋଧିତ ତୈଳର ସବୁଠାରୁ ବଡ଼ ଗ୍ରାହକ ଭାବରେ ଉଭା ହୋଇଛି। ଆଜି ଭାରତ ତାର ମୋଟ ତୈଳର ପ୍ରାୟ ୩୫-୪୦ ପ୍ରତିଶତ ରୁଷିଆରୁ ଆମଦାନୀ କରେ, ଯାହା କେବଳ ଶକ୍ତି ସୁରକ୍ଷା ସୁନିଶ୍ଚିତ କରେ ନାହିଁ ବରଂ ବାର୍ଷିକ ପ୍ରାୟ ୩.୮ ବିଲିୟନ ଡଲାର ସଞ୍ଚୟ ମଧ୍ୟ କରେ। ଆମେରିକା ଚାହୁଁଛି ଯେ ଭାରତ ଏହି ତୈଳ ଆମଦାନୀ ବନ୍ଦ କରୁ। ଯଦିଓ ଭାରତ ଆମେରିକାର ଏହି ମତର ସିଧାସଳଖ ପ୍ରତିକ୍ରିୟା ଦେଇନାହିଁ, କିନ୍ତୁ ରୁଷିଆ ସହିତ ବୈଠକ ଏବଂ ରୁଷିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ ଏବେ ଆମେରିକା ଏବଂ ରୁଷିଆ ଆଲୋଚନା ଟେବୁଲକୁ ଆସିଛନ୍ତି।


