କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଦାବି କଲା ପାକିସ୍ତାନ…

ଇସଲାମାବାଦ,୧୪।୧ : ଭାରତ ସହ ବିବାଦୀୟ ସମସ୍ୟାର ସମାଧାନ ପାଇଁ ପାକିସ୍ତାନ ପୁଣି ତୃତୀୟ ପକ୍ଷର ମଧ୍ୟସ୍ଥତା ପାଇଁ ଯୋଜନା କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମୁମତାଜ ଜହରା ବଲୋଚ କହିଛନ୍ତି ଯେ ଏହି ଅଞ୍ଚଳରେ ଶାନ୍ତି ଆଣିବାରେ ବିଶ୍ୱ ସମୁଦାୟ ତଥା ତୃତୀୟ ପକ୍ଷ ମଧ୍ୟସ୍ଥତାର ଭୂମିକାକୁ ପାକିସ୍ତାନ ସ୍ବାଗତ କରିବ।

କଶ୍ମୀର ସମେତ ପାକିସ୍ତାନ ସହ ବିବାଦର ସମାଧାନ ପାଇଁ ଭାରତ କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତାକୁ ସର୍ବଦା ବିରୋଧ କରିଆସୁଛି। ଭାରତ କହୁଛି ଯେ ଜମ୍ମୁ-କଶ୍ମୀରର ସମଗ୍ର ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ପାକିସ୍ତାନ ଏହାର ଏକ ଅଂଶକୁ ବେଆଇନ ଭାବେ ଦଖଲ କରିଛି। ଏଭଳି ପରିସ୍ଥିତିରେ କୌଣସି ତୃତୀୟ ଦେଶର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ।

ମୁମତାଜ ଗଣମାଧ୍ୟମକୁ କହିଛନ୍ତି ଯେ ପାକିସ୍ତାନ ସର୍ବଦା ମତ ରଖିଛି ଯେ କଶ୍ମୀର ସମେତ ବିବାଦର ସମସ୍ତ ପ୍ରସଙ୍ଗରେ ଆମେ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଭୂମିକାକୁ ସ୍ବାଗତ କରୁଛୁ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା କଶ୍ମୀରରୁ ଧାରା ୩୭୦ ରଦ୍ଦ କରିବା ଏବଂ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା ନିଷ୍ପତ୍ତି ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି। ଏହି ପଦକ୍ଷେପକୁ ନେଇ ପାକିସ୍ତାନ ଭାରତ ସହ କୂଟନୀତିଜ୍ଞଙ୍କ ସଂଖ୍ୟା ହ୍ରାସ କରି ଭାରତୀୟ ହାଇ କମିଶନରଙ୍କୁ ବହିଷ୍କାର କରିଛି। ସେହି ଦିନଠାରୁ ଦୁଇ ଦେଶ ମଧ୍ୟରେ ବାଣିଜି୍ୟକ ସମ୍ପର୍କ ମଧ୍ୟ ପ୍ରାୟ ଅଟକି ଯାଇଛି।

Share