Categories: ଜାତୀୟ

ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ-ଚାଇନା ମିଳିତ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌…

ଶ୍ରୀନଗର,୧।୧୨: ଜମ୍ମୁ-କଶ୍ମୀରର ଏଲ୍‌ଓସି ବାଟେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ତେବେ ଏବେ ପାକିସ୍ତାନ ସହିତ ଏନେଇ ଚାଇନା ହାତ ମିଳାଇଛି। ହୋଇଥିବା ଏକ ଅନୁପ୍ରବେଶ ଷଡ଼ଯନ୍ତ୍ରର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ଗୁପ୍ତ ତଥ୍ୟ ଆଧାରରେ ଜଣାପଡ଼ିଛି ଯେ, ଡ୍ରୋନ ପରେ ହ୍ୟାଣ୍ଡ ଗ୍ଲାଇଡିଂ ମାଧ୍ୟମରେ ପାକିସ୍ତାନ ଏକ ନୂଆ ଆତଙ୍କବାଦୀ ଷଡଯନ୍ତ୍ର ରଚିଛି।

ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଲାଗି ପାକିସ୍ତାନ ହ୍ୟାଣ୍ଡ ଗ୍ଲାଇଡିଂ ଉପରେ ତାଲିମ ଦେଉଛି। ହ୍ୟାଣ୍ଡ ଗ୍ଲାଇଡିଂ ମାଧ୍ୟମରେ ୧୬ କିଲୋଗ୍ରାମ ବିସ୍ଫୋରକ କିମ୍ବା ଅନ୍ୟ କୌଣସି ସାମଗ୍ରୀ ଅବା ଅସ୍ତ୍ରଶସ୍ତ୍ର ୬୦୦ ମିଟରରୁ ୧୨୦୦ ମିଟର ପର୍ଯ୍ୟନ୍ତ ପଠାଯାଇ ପାରିବ। ଏହା ସହିତ ଏକ କିଲୋମିଟର ଦୂରରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଅବା କାର୍ଯ୍ୟାଳୟ ଉପରେ ଆକ୍ରମଣ ମଧ୍ୟ କରାଯାଇ ପାରିବ। ଭାରତ-ପାକିସ୍ଥାନ ସୀମାରେ ପାକିସ୍ତାନୀ ରେଞ୍ଜର୍ସଙ୍କ ସହ ଚାଇନା ସାମରିକ ବିଶେଷଜ୍ଞମାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତୁଷାରପାତ ସମୟରେ ଆତଙ୍କବାଦୀଙ୍କୁ ହ୍ୟାଣ୍ଡ ଗ୍ଲାଇଡର ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାର ତାଲିମ ଦିଆଯାଉଛି।

ଇତିମଧ୍ୟରେ ଆଫଗାନିସ୍ତାନରେ ଲଢୁଥିବା ୮,୦୦୦ ଆତଙ୍କବାଦୀ ପାକିସ୍ତାନର ବିଭିନ୍ନ ଶିବିରକୁ ଫେରିଛନ୍ତି।
ଡ୍ରୋନ ଆଣ୍ଟି ସିଷ୍ଟମ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆଠଟି କମ୍ପାନୀ ସହିତ ଯୋଗାଯୋଗ କରାଯାଇଛି। ବିଏସଏଫ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ୬୭ଟି ଡ୍ରୋନକୁ ସୀମାରେ ଦେଖିବାକୁ ମିଳିଛି। ଚିନ୍ତା ଜନକ ବିଷୟ ହେଉଛି ଯେ, ଡ୍ରୋନ ବିପଦର ମୁକାବିଲା କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ଫୁଲ୍‌ ପ୍ରୁଫ ନିର୍ଭର ଯୋଗ୍ୟ ସିଷ୍ଟମ୍‌ ଭାରତ ପାଖରେ ନାହିଁ।

ଏପରିସ୍ଥଳେ ଏଲ୍‌ଓସି ନିକଟରେ ଥିବା ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରେ ଥିବା ଲଞ୍ଚ୍‌ପ୍ୟାଡ୍‌ ସକ୍ରିୟ ହେବାରେ ଲାଗିଥିବାରୁ ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share