ପାକିସ୍ତାନରେ ବଢୁଛି ଆର୍ଥତ୍କ ସଙ୍କଟ:ପେଟ୍ରୋଲ ଏବଂ ଡିଜେଲ ବଞ୍ଚାଇବା ପାଇଁ ଆସିବ ନୂଆ ଯୋଜନା

ଇସଲାମାବାଦ୍‌,୨୪।୫: ଗତ ବର୍ଷେ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ନୂଆ ସରକାର ଆସିବା ପରେ ମଧ୍ୟ ସୁଧୁରିବାର ନାଁ ଧରୁନି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଆର୍ଥିକ ସମସ୍ୟାକୁ ଆହୁରି ବଢାଇ ଦେଇଛି। ଏହି ସଙ୍କଟର ମୁକାବିଲା ପାଇଁ ପାକିସ୍ତାନ ସରକାର ଏକ ଭିନ୍ନ ଉପାୟ ଆପଣାଇବାକୁ ଚେଷ୍ଟା କରୁଛନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ ପାକିସ୍ତାନ ସରକାର କର୍ମଚାରୀଙ୍କ କାର୍ଯ୍ୟଦିବସ ହ୍ରାସ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଇନ୍ଧନ ସଞ୍ଚୟ କରିବ ଏବଂ ବୈଦେଶିକ ମୁଦ୍ରା ବ୍ୟବହାର ମଧ୍ୟ ହ୍ରାସ ପାଇବ ବୋଲି ସରକାର ବିଶ୍ୱାସ କରୁଛନ୍ତି। ଗୋଟିଏ ପଟେ ପାକିସ୍ତାନରେ ତେଲର ବ୍ୟବହାର ବଢୁଥିବାବେଳେ ଅନ୍ୟ ପଟେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଉଛି। ଫଳରେ ଦେଶର ଅର୍ଥବ୍ୟବସ୍ଥା ଭୁଶୁଡି ପଡୁଛି।
ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ କରିବାର ଯୋଜନା ଦ୍ୱାରା ବାର୍ଷିକ ୨.୭ ବିଲିୟନ ଡଲାର ପର୍ଯ୍ୟନ୍ତ ବୈଦେଶିକ ମୁଦ୍ରା ସଞ୍ଚୟ କରିପାରିବ ବୋଲି ପାକିସ୍ତାନ ସରକାର ଆଶା କରିଛନ୍ତି। ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ ଏହି ପ୍ରସ୍ତାବ ପ୍ରସ୍ତୁତ କରିଛି। ଏହା ଅଧୀନରେ, ଏବେ ଅଫିସରେ ମାତ୍ର ୪ ଦିନ କାମ କରିଯିବ ଏବଂ ତିନି ଦିନ ଛୁଟି ଦେବା ପାଇଁ କୁହାଯାଇଛି। ଏହି ଯୋଜନାରୁ ହାରାହାରି ପିଓଏଲ୍‌ ସଞ୍ଚୟ ମାସକୁ ୧୨.୨ କୋଟି ହେବ ଏବଂ ଏହା ୧ ବର୍ଷରେ ୧.୫ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ପ୍ରସ୍ତାବରେ କୁହାଯାଇଛି ଯେ, କାର୍ଯ୍ୟ ଦିନରେ ତୈଳ ବ୍ୟବହାର ୯୦ ପ୍ରତିଶତ ହୋଇଥିବାବେଳେ ଛୁଟିଦିନରେ ଏହି ସଂଖ୍ୟା ମାତ୍ର ୧୦ ପ୍ରତିଶତ ଅଟେ।
ଏହା ବ୍ୟତୀତ ପାକିସ୍ତାନ ଷ୍ଟେଟ ବ୍ୟାଙ୍କ ଦ୍ୱିତୀୟ ଏବଂ ତୃତୀୟ ଯୋଜନା ମଧ୍ୟ ପ୍ରସ୍ତୁତ କରିଛି। ଦ୍ୱିତୀୟ ଯୋଜନା ଅନୁଯାୟୀ, ୪ କାର୍ଯ୍ୟଦିବସ, ୨ ଛୁଟି ଦିନ ଏବଂ ଗୋଟିଏ ଦିନ ଲକ୍‌ଡାଉନ୍‌ ପକାଇବାକୁ ପରାମର୍ଶ ଦିଆଯାଇଛି। ଏହା ପ୍ରତି ମାସରେ ପ୍ରାୟ ୧୭୫ ନିୟୁତ ଡଲାର ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି । ବାର୍ଷିକ ଏହା ୨.୧ ବିଲିୟନ ଡ଼ଲାରରେ ପହଞ୍ଚିପାରେ। ତୃତୀୟ ଯୋଜନାରେ ୪ କାର୍ଯ୍ୟଦିବସ, ୧ ଦିନ ଛୁଟି ଏବଂ ୨ ଦିନ ଲକଡାଉନ ପାଇଁ ପରାମର୍ଶ ଦିଆଯାଇଛି। ଏହି ଯୋଜନା ବାର୍ଷିକ ୨.୭ ବିଲିୟନ ଡଲାର ସଞ୍ଚୟ କରିବ ବୋଲି ଆଶା କରାଯାଉଛି।

Share