ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍ର ଏକ ମ୍ୟାଚରେ ଭାରତୀୟ ଓପନର ଶେଫଳାଳି ବର୍ମାଙ୍କ ଉଇକେଟ ପତନ ପରେ ତାଙ୍କ ପ୍ରତି ‘ଆପତ୍ତିଜନକ ଇଙ୍ଗିତ’ କରିଥିଲେ। ଭାରତୀୟ ଇନିଂସର ଦ୍ୱିତୀୟ ଓଭରରେ ଏହି ଘଟଣା ଘଟିଥିଲା। ଶେଫାଳିଙ୍କୁ ଆଉଟ କରିବା ପରେ ଫାତିମା ତାଙ୍କୁ ଇଙ୍ଗିତ କରି ପ୍ୟାଭିଲିଅନକୁ ରାସ୍ତା ଦେଖାଇଥିଲେ।
ପାକିସ୍ତାନ ଅଧିନାୟିକା ଖେଳାଳି ଓ ଖେଳାଳିଙ୍କ ସପୋର୍ଟ ଷ୍ଟାଫ୍ଙ୍କ ପାଇଁ ଉଦ୍ଦିଷ୍ଟ ଆଇସିସି ଆଚରଣବିଧିର ଧାରା ୨.୫ର ଲେଭଲ-୧ ନିୟମର ଉଲ୍ଲଂଘନ କରିଛନ୍ତି। ଜରିମାନା ବ୍ୟତୀତ ତାଙ୍କ ଶୃଙ୍ଖଳାଗତ ଖାତାରେ ଏକ ଡିମେରିଟ୍ ପଏଣ୍ଟ ଯୋଗ କରାଯାଇଛି।
୨୪ ମାସ ମଧ୍ୟରେ ଦ୍ୱିତୀୟ ଥର ତାଙ୍କର ଡିମେରିଟ୍ ପଏଣ୍ଟ ଯୋଗ କରାଯାଇଛି। ୨୦୨୫ ଅଗଷ୍ଟ ୬ରେ ଡବଲିନ୍ଠାରେ ଆୟର୍ଲାଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ ସିରିଜ ବେଳେ ଫିତିମାଙ୍କୁ ଏକ ଡିମେରିଟ୍ ପଏଣ୍ଟ ମିଳିଥିଲା। ଫାତିମ ନିଜ ଦେଶଷ ସ୍ବୀକାର କରିବା ସହ ଏମିରେଟ୍ ଆଇସିସି ଇଣ୍ଟରନ୍ୟାଶନାଲ ପ୍ୟାନେଲ ଅଫ୍ ମ୍ୟାଚ ରେଫରିଜ୍ର ସୁପ୍ରିୟା ରାଣୀ ଦାସଙ୍କ ଦ୍ୱାରା ପ୍ରସ୍ତାବିତ ଦଣ୍ଡକୁ ଗ୍ରହଣ କରିନେଇଥିଲେ, ଫଳରେ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକ ପଡ଼ି ନ ଥିଲା।
ଅନ୍-ଫିଲ୍ଡ ଅମ୍ପାୟର ନିମାଲି ପେରେରା ଓ ଶାଥିରା ଜାକିର ଜେସି, ତୃତୀୟ ଅମ୍ପାୟର ରୋକିୟା ସୁଲ୍ତାନା ଏବଂ ଫିଲ୍ଡ ଅମ୍ପାୟର ରବାବ ଏହସାନ ପ୍ରମୁଖ ଫାତିମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଲେଭଲ-୧ ଉଲ୍ଲଂଘନ କଲେ ଏଥିରେ ସର୍ବନିମ୍ନ ଏକ ବିଧିବଦ୍ଧ ଭର୍ତ୍ସନା, ସର୍ବାଧିକ ଜରିମାନା ଜଣେ ଖେଲାଳିଙ୍କ ମ୍ୟାଚ ଫି’ର ୫୦ ପ୍ରତିଶତ ଜରିମାନା ଏବଂ ଗୋଟିଏ କିମ୍ବା ଦୁଇଟି ଡିମେରିଟ୍ ପଏଣ୍ଟ।