ଇସଲାମବାଦ୍,୧୬ା୭: ପାକିସ୍ତାନର ପଖତୁନଖ୍ୱା ପ୍ରଦେଶ ପୁଣିଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଛି ।ଆତଙ୍କବାଦୀମାନେ ବାନୁ ଜିଲାର ମିରିଆନ୍ ପୋଲିସ ଷ୍ଟେଶନକୁ ଟାର୍ଗେଟ କରି ବିସ୍ଫୋରକ ଭର୍ତ୍ତି ଗାଡ଼ି ବ୍ୟବହାର କରି ଆତ୍ମଘାତୀ ଆକ୍ରମଣ କରିଥିଲେ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପୋଲିସ ଷ୍ଟେସନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣ ପରେ ତୁରନ୍ତ ସଶସ୍ତ୍ର ଆକ୍ରମଣକାରୀମାନେ ଷ୍ଟେସନରେ ପଶିବାକୁ ଚେଷ୍ଟା କରିଥିଲେ, ଯାହା ଫଳରେ କିଛି ଘଣ୍ଟା ଧରି ଏକ ଭୟଙ୍କର ଗୁଳିବିନିମୟ ହୋଇଥିଲା।
ଏହି ଆକ୍ରମଣରେ ଅତି କମରେ ୧୪ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେ ଅନେକ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସ୍ଥାନୀୟ ସୂତ୍ର ଅନୁଯାୟୀ, ମୃତକଙ୍କ ମଧ୍ୟରେ ଆଠ ଜଣ ପୋଲିସ କର୍ମଚାରୀ ଏବଂ ଅନ୍ୟ ସୁରକ୍ଷା ବାହିନୀର ଛଅ ଜଣ ସଦସ୍ୟ ଅଛନ୍ତି । ଆହତମାନଙ୍କୁ ବାନୁ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।