ପାକିସ୍ତାନରେ ୩ ତାଲିବାନ ଆତଙ୍କବାଦୀ ଗିରଫ

ଲାହୋର,୧୪।୧୨: ରାଓ୍ବଲପିଣ୍ଡି ବିସ୍ଫୋରଣ ଘଟଣାରେ ଜଡ଼ିତ ଥିବା ୩ ତାଲିବାନ ଆତଙ୍କବାଦୀଙ୍କୁ ଗିରଫ କରିଛି ପାକିସ୍ତାନର ସୁରକ୍ଷା ସଂସ୍ଥା। ରାଓ୍ବଲପିଣ୍ଡର ଗ୍ୟାରିସନ୍‌ ସହରର ଗଞ୍ଜ ମଣ୍ଡି ଅଞ୍ଚଳରେ ପୋଲିସ ଷ୍ଟେଶନ ନିକଟରେ ରବିବାର ଘଟିଥିବା ବିସ୍ଫୋରଣରେ ମହିଳା ଓ ଶିଷୁଙ୍କ ସମେତ ଅତିକମ୍‌ରେ ୨୫ ଜଣ ଆହତ ହୋଇଥିଲେ।

ଆଦ୍ୟାଲା-ଖାରାକାନ ରୋଡ ନିକଟରେ ୩ ତାଲିବାନ ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା। ଏହି ଟିପ୍‌ ପାଇବା ପରେ ପଞ୍ଜାବ ପୋଲିସର ଆତଙ୍କବାଦ ମୁକାବିଲା ବିଭାଗ (ସିଟିଡି) ଚଢ଼ାଉ କରି ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ବିସ୍ଫୋରକ, ଡେଟୋନେଟର୍ସ, ମୋବାଇଲ ଫୋନ ଓ ଅନ୍ୟ ସାମଗ୍ରୀ ଜବତ ହୋଇଥିବା ପଞ୍ଜାବ ପୋଲିସର ଆତଙ୍କବାଦ ମୁକାବିଲା ବିଭାଗ (ସିଟିଡି) ପକ୍ଷରୁ କୁହାଯାଇଛି।

ସିଟିଡିର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଆତଙ୍କବାଦୀମାନେ ୪ଟି ବିସ୍ଫୋରଣ ଘଟଣାରେ ଜଡ଼ିତ ଥିଲେ। ଚଳିତ ବର୍ଷ ଜାନୁୟାରୀ, ମାର୍ଚ୍ଚ, ଜୁନ ଓ ଡିସେମ୍ବରରେ ଘଟାଇଥିବା ବ୍ଲାଷ୍ଟରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।

Share