ସଂଖ୍ୟାଲଘୁଙ୍କ କ୍ରୋଧ, ସଚେତନତା ପାଇଁ ରାଲି ଆରମ୍ଭ, ୩୦ ମାର୍ଚ୍ଚରେ ବିରୋଧ ପ୍ରଦର୍ଶନ

କରାଚି,୧୪ ।୩: ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ସହ ଲଗାତାର ଜାରି ରହିଥିବା ଅପହରଣ, ଧର୍ମାନ୍ତରିକରଣ ଓ ନାବାଳିକାଙ୍କ ବିବାହ ମଧ୍ୟରେ ଏବେ ବିରୋଧର ସ୍ୱର ବଢିବାରେ ଲାଗିଛି । ଦେଶରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ଏହିଭଳି ଭାବେ ବୃଦ୍ଧି ପାଉଥିବା ଘଟଣା ବିରୋଧରେ ଚଳିତ ମାସ ଶେଷରେ ଏକ ରାଲି ବାହାର କରିବେ ଓ ସେଠାରେ ଥିବା ସିନ୍ଧ ବିଧାନସଭା ଭବନ ବାହାରେ ଏକତ୍ର ହୋଇ ବିରୋଧ ପ୍ରଦର୍ଶନ କରିବେ ।

ସିନ୍ଧ ଅଞ୍ଚଳରେ କିଛି ହିନ୍ଦୁ ସମ୍ପ୍ରଦାୟର ନେତାଙ୍କ ଦ୍ୱାରା ଆୟୋଜିତ କରାଯାଇଥିବା ରାଲି ୩୦ ମାର୍ଚ୍ଚରେ ଦେଶର ସଂଖ୍ୟାଲଘୁଙ୍କ ଅଧିକାର ପାଇଁ କାମ କରୁଥିବା ସଙ୍ଗଠନ ପାକିସ୍ତାନ ଦାରାବର ଇନ୍ତେହାଦ(ପିଟିଆଇ) ବ୍ୟାନର ତଳେ ଆୟୋଜିତ ହୋଇଛି । ପିଟିଆଇର ଅଧ୍ୟକ୍ଷ ଫକିର ଶିବା କୁଚି କହିଛନ୍ତି, ଆମେ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକଙ୍କୁ ରାଲିରେ ଭାଗ ନେବାକୁ ଇଚ୍ଛା ପ୍ରକାଶ କରୁଛୁ । କାରଣ ସରକାର ଆମର ମହିଳା ଓ ଯୁବତୀଙ୍କୁ ଅପହରଣ, ଜବରଦସ୍ତ ଧର୍ମ ପରିବର୍ତ୍ତନ ଓ ଫର୍ଜି ବିବାହକୁ ନେଇ ଆଖି ବନ୍ଦ କରି ଦେଇଛନ୍ତି ।
ସେ କହିଛନ୍ତି ସଙ୍ଗଠନ ସଚେତନତା ସୃଷ୍ଟି କରିବାକୁ ସମଗ୍ର ଅଞ୍ଚଳରେ ରାଲି ବାହାର କରିବା ଆରମ୍ଭ କରିଦେଇଛି । ସେ କହିଛନ୍ତି, ଆମେ ଚାହୁଁଛୁ ଯେତେବେଳେ ଏହି ବିରୋଧୀ ରାଲି ୩୦ ମାର୍ଚ୍ଚରେ ଆୟୋଜନ କରାଯିବ, ସେତେବେଳେ ସମସ୍ତେ ଦେଶରେ ହିନ୍ଦୁ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟଙ୍କ ସାମ୍ନାକୁ ଆସୁଥିବା ପ୍ରସଙ୍ଗକୁ ଦେଖନ୍ତୁ । କୁଚି କହିଛନ୍ତି ତାଙ୍କର ଦାବି ହେଉଛି ଜବରଦସ୍ତ ଧର୍ମ ପରିବର୍ତ୍ତନ ଓ ବିବାହ ବିରୋଧରେ ସିନ୍ଧ ବିଧାନସଭାରେ ଅଟକି ରହିଥିବା ଏକ ବିଧେୟକକୁ ପାସ କରାଯାଉ ।

Share