କରୋନା ଆକ୍ରାନ୍ତ ସତ୍ତ୍ୱେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଡାକିଲେ ବୈଠକ, ହେଲେ ଟ୍ରୋଲ

ଇସଲାମାବାଦ,୨୬।୩: ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ଶିବଲି ଫରାଜ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ କ୍ୟାପ୍‌ଶନ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କ ମିଡିଆ ଟିମ୍‌ ସହିତ ବୈଠକ। ମନ୍ତ୍ରୀଙ୍କ ଏହି ଟୁଇଟ୍‌ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି।

ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସମାନଙ୍କ ମଧ୍ୟରେ ଲଢ଼େଇ ଚାଲିଛି। କରୋନା ପଜିଟିଭ୍‌ ହେବା ପରେ ଇମ୍‌ରାନ ଗୋଟିଏ କୋଠରିରେ ୬ ଲୋକଙ୍କ ସହିତ ବସିଥିବା ନଜର ଆସିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଇମରାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ମାତ୍ର ସେ ହୋମ୍‌ ଆଇସୋଲେଶନରେ ନ ରହି ମିଡିଆ ଟିମ୍‌ ସହିତ ମିଟିଂ କରୁଥିବା ନଜର ଆସିଛନ୍ତି। ବୈଠକରେ ଇମରାନ ମାସ୍କ ପିନ୍ଧିଥିବା ବେଳେ ଅନ୍ୟ ସଦସ୍ୟମାନେ ମଧ୍ୟ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରିଛନ୍ତି। ଏହା ପରେ ମଧ୍ୟ ସୋସିଆଲ ମିଡିଆରେ ୟଜର୍ସ ଇମରାନଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହା ବହୁତ ଖରାପ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଶିବଲୀ ଫରାଜଙ୍କର କରୋନା ଟେଷ୍ଟ କରିବା ଜରୁରୀ।

Share