ଭାରତ ୫ ନହେଲେ ୫୦୦ ରାଫାଲ ଆଣୁ; ଆମେ ଜବାବ ଦେବାକୁ ପ୍ରସ୍ତୁତ ଅଛୁ: ପାକିସ୍ତାନ

ଇସଲାମାବାଦ,୧୪।୮:ଭାରତୀୟ ବାୟୁସେନାରେ ସାମିଲ ହୋଇଛି ରାଫାଲ ଯୁଦ୍ଧବିମାନ। ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ୫ଟି ରାଫାଲ ଭାରତ ଆସିବା ପରେ ବିଳିବିଳେଇବାରେ ଲାଗିଛି ପାକିସ୍ତାନ। ଭାରତ ସୈନ୍ୟ ଖର୍ଚ୍ଚ ବଢ଼ାଉଥିବାକୁ ନେଇ ପାକିସ୍ତାନ ଚିନ୍ତା ପ୍ରକଟ କରିବା ସହ ରାଫେଲ ବିଷୟ ଉଠାଉଛି। ଗୁରୁବାର ପାକିସ୍ତାନ ସେନା ମୁଖପାତ୍ର ଜେନେରାଲ ବାବର ଇଫ୍‌ତିକାର କହିଛନ୍ତି, ପାକିସ୍ତାନ ଭାରତର ସୈନ୍ୟ ଖର୍ଚ୍ଚ ଏବଂ ରକ୍ଷା ବଜେଟ ବଢ଼ାଇବାକୁ ନେଇ ଚିନ୍ତାରେ ଅଛି। ଭାରତ ରାଫାଲ କିଣିବା ପରେ ବି ପାକିସ୍ତାନ ଜବାବ ଦେବାକୁ ପୁରା ପ୍ରସ୍ତୁତ ଅଛି। ଦେଶର ଅଭ୍ୟନ୍ତରିଣ ଏବଂ ବାହ୍ୟ ସୁରକ୍ଷା ବ୍ୟବସ୍ଥା ସହ ଜଡ଼ିତ ପ୍ରସଙ୍ଗ ଉପରେ ଏକ ଖବରଦାତା ସମ୍ମିଳନୀରେ ସେ ଏହା କହିଛନ୍ତି। ଅପରପକ୍ଷେ ପାକିସ୍ତାନ ଶୁକ୍ରବାର ନିଜର ସ୍ବାଧୀନତା ଦିବସ ପାଳନ କରୁଛି।

ପାକ୍‌ ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି, ରାଫାଲ ଅଣାଯିବା ବାଟରେ ତା’ର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ନଜର ରଖାଯାଇଥିଲା। ଭାରତ ୫ ରାଫାଲ କିଣୁ ଅଥବା ୫୦୦, ଆମକୁ ଫରକ ପଡିବନାହିଁ। କାରଣ ଆମକୁ ଆମ କ୍ଷମତା ଉପରେ ସନ୍ଦେହ ନାହିଁ। ଆମେ ଏହି କଥା ପୂର୍ବରୁ ପ୍ରମାଣ କରିସାରିଛୁ।

ଏହାଛଡ଼ା ସେ ପାକ୍‌ର ରକ୍ଷା ବଜେଟ୍‌ କମ୍‌ ହେଉଥିବା ନେଇ ଚିନ୍ତାବ୍ୟକ୍ତ ମଧ୍ୟ କରିଛନ୍ତି। ଭାରତ ଗୋଟିଏ ପଟେ ସବୁଠାରୁ ଅଧିକ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶ ତାଲିକାରେ ଶୀର୍ଷରେ ରହିଛି। ପାକିସ୍ତାନ ଭାରତର ଇଚ୍ଛା ବିଷୟରେ ଜାଣେ। ହେଲେ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ରରେ ଲଢ଼ା ଯାଏ ନାହିଁ।

Share