ଭୁବନେଶ୍ୱର,୧୩।୭: ଉତ୍ତର ବଙ୍ଗୋପସାଗର ଓ ମଧ୍ୟପ୍ରଦେଶରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ରବିବାର ସନ୍ଧ୍ୟା ସମୟରେ ଉତ୍ତର ବଙ୍ଗୋପସାଗରର ପୂର୍ବ ଭାଗରେ ବାଂଲାଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ କିଛି ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସ୍ପଷ୍ଟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମବଙ୍ଗ ଆଡ଼କୁ ଗତି କରିପାରେ, ଯାହା ଫଳରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ ଓଡ଼ିଶାରେ ମଧ୍ୟ ବର୍ଷାର ବିସ୍ତୃତି ବୃଦ୍ଧି କରିପାରେ।
ସେହିପରି, ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଓ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅନ୍ୟ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ମଧ୍ୟ ଦେଇ ଏକ ନିମ୍ନଚାପ ରେଖା ସୃଷ୍ଟି କରିଛି, ଯାହା ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ସୁନ୍ଦରଗଡ଼, ଝାଡ଼ସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ପାଣିପାଗ ବିଭାଗ ଅନୁସାରେ, ଏହି ଲଘୁଚାପକ୍ଷେତ୍ରଗୁଡ଼ିକ ଯୋଗୁଁ ଆଗାମୀ ୪-୫ ଦିନ ଯାଏଁ ଓଡ଼ିଶାର ଉତ୍ତର, ଉପକୂଳୀୟ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ଜାରି ରହିବ। ଏହା ସହ ଉପକୂଳ ଅଞ୍ଚଳରେ ଝୋଡ଼ୋ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି। ପାଣିପାଗ ବିଭାଗ ସାଧାରଣ ଜନତାଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ଏବଂ ନିମ୍ନାଞ୍ଚଳରେ ଜଳବନ୍ଦୀ ଆଶଙ୍କା ପ୍ରକାଶ କରିଛି।