ତିଆରି ଚାଲିଛି ପହଣ୍ଡି, ଅଣସର ଗାମୁଛା

ଖୋର୍ଦ୍ଧା ଅଫିସ,୧୩ା୫: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ଶ୍ରୀନଅର ସମ୍ମୁଖ ଅସ୍ଥାୟୀ ରଥଖଳାରେ ତିନି ରଥ ନିର୍ମାଣରେ ଲାଗିଛନ୍ତି ରଥ ମହାରଣା। ରଥଯାତ୍ରାରେ ମହାପ୍ରଭୁଙ୍କ ଲାଗି ପାଟବସ୍ତ୍ର ଏବଂ ସୂତାଲୁଗା ପ୍ରସ୍ତୁତିରେ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ା ଗୋପୀନାଥ ଦାସଙ୍କ ବୁଣାକାର ପରିବାର ବ୍ୟସ୍ତ ଥିବା ବେଳେ ଅନ୍ୟପଟେ ମହାପ୍ରଭୁଙ୍କ ଅଣସର ଏବଂ ପହଣ୍ଡି ଗାମୁଛା ପ୍ରସ୍ତୁତିରେ ଲାଗି ପଡିଛନ୍ତି ବୋଲଗଡ଼ ବ୍ଲକ ସାନପଦର ଗ୍ରାମର ବୁଣାକାର।
ସେବାରେ ୪ବର୍ଷ
ମହାପ୍ରଭୁଙ୍କ ଅଣସର ଏବଂ ପହଣ୍ଡି ଲାଗି ଗାମୁଛା ବୟାନିକା ଯୋଗାଇଥାଏ। ୨୦୧୮ ମସିହାରୁ ଏହି ଗ୍ରାମର ପ୍ରଭାସ ନାୟକ ବୟାନିକାଠାରୁ ଅର୍ଡର ପାଇ ମହାପ୍ରଭୁଙ୍କ ଲାଗି ହାତ ତିଆରି ଗାମୁଛା ପ୍ରସ୍ତୁତ କରୁଛନ୍ତି। ସ୍ନାନଯାତ୍ରା ପୂର୍ବରୁ ବୟାନିକାକୁ ଏହା ହସ୍ତାନ୍ତର ହୋଇଥାଏ। ବର୍ତ୍ତମାନ ସୁଦ୍ଧା ୭୦% କାର୍ଯ୍ୟ ସରିଥିବା ସେ ପ୍ରକାଶ କରିଛନ୍ତି। ଅକ୍ଷୟତୃତୀୟାରୁ କାମ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ମହାପ୍ରଭୁଙ୍କ ଅଣସର ଲାଗି ୧୯୧ଟି ୬ହାତି ଲମ୍ବର ଗାମୁଛା ଏବଂ ପହଣ୍ଡି ଲାଗିି ୧୯୧ଟି ୫ହାତି ଗାମୁଛା ବୁଣା ଚାଲିଛି। ଏହି ଗାମୁଛାକୁ ଆକର୍ଷଣୀୟ କରିବା ଲାଗି ଅଣସର ଗାମୁଛା ଧଳାରଙ୍ଗର ହୋଇଥିବା ବେଳେ ଧଡିରେ କୁମ୍ଭପକା(ଡିଜାଇନ) ଥାଇ ହଳଦିଆ ରଙ୍ଗ ଏବଂ ପହଣ୍ଡି ଗାମୁଛା କୃ୍‌ଷ୍ଣ ରଙ୍ଗରେ କୁମ୍ଭପକା(ଡିଜାଇନ) ଥାଇ ହଳଦିଆ ରଖାଯାଇଥାଏ ବୋଲି ପ୍ରଭାସ କହିଛନ୍ତି।
ଲାଗିଛନ୍ତି ୨୫ ବୁଣାକାର
ପ୍ରଭାସଙ୍କ ତତ୍ତ୍ୱାବଧାନରେ ୨୫ ଜଣ ବୁଣାକାର ଏହି କାର୍ଯ୍ୟରେ ଲାଗିଛନ୍ତି। ପ୍ରଭାସଙ୍କ ସହିତ ଗଙ୍ଗାଧର ପରମାଣିକ, ସନ୍ତୋଷ ନାୟକ, ରଶ୍ମିତା ନାୟକ, ବିଦ୍ୟାଧର ନାୟକ, ରବୀନ୍ଦ୍ର ପରମାଣିକ, ରମେଶ ଦେବତା, ହାତୀ ପରମାଣିକ, ବାସନ୍ତି ନାୟକ, ଉଦୟନାଥ ନାୟକ, ଉଦୟନାଥ ଦାସ, ସନ୍ତୋଷ ଦାସ, ସୋନାଲି ପରମାଣିକ ପ୍ରମୁଖ ଏହି କାର୍ଯ୍ୟରେ ଲାଗିଛନ୍ତି। ପ୍ରଭାସ ଏବଂ ଅନ୍ୟମାନେ କୁହନ୍ତି, ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥିବାରୁ ନିଜକୁ ଧନ୍ୟ ମନେକରୁଛୁ। ଦୂରରେ ଥାଇ ମଧ୍ୟ ମହାପ୍ରଭୁଙ୍କ ଏହି ସେବା କରିବାର ସୁଯୋଗ ମିଳୁଥିବାରୁ ଆତ୍ମତୃପ୍ତି ମିଳିଥାଏ।
ଗାଁର ନାଁ ସାନପଦର
ଗ୍ରାମର ଅଧିକାଂଶ ପରିବାର ବୁଣାକାର। ୩୦ବର୍ଷ ତଳେ ପ୍ରଭାସଙ୍କ ବାପା ଲକ୍ଷ୍ମୀଧର କେତେଜଣ ବୁଣାକାରଙ୍କୁ ନେଇ ଏକ ହସ୍ତତନ୍ତ ବୟନ ଶିଳ୍ପ ଗଠନ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଭାସ ମା’ ଦୁର୍ଗା ଟେକ୍ସଟାଇଲ୍‌ ଆଣ୍ଡ ଡାଇଙ୍ଗ ଓ୍ବାର୍କସ୍‌ ବୁଣାକାର ସଂସ୍ଥା ଗଠନ କରିଥିଲେ। ଏହି ସଂସ୍ଥା ଅଧୀନରେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ବୁଣାକାର କାମ କରୁଛନ୍ତି।