ଶ୍ରୀନଗର,୨୩।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୁଧବାର ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ଯେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ଦୋଷୀମାନଙ୍କୁ ନ୍ୟାୟ ଦିଆଯିବ ଏବଂ କହିଛନ୍ତି ଯେ ଭାରତ କେବେବି କାପୁରୁଷ ଆତଙ୍କବାଦୀ କାର୍ଯ୍ୟ ଆଗରେ ମୁଣ୍ଡ ନୁଆଁଇବ ନାହିଁ।
ପହଲଗାମର ବୈସାରନ ଉପତ୍ୟକାରେ ଏହି ଆକ୍ରମଣ ଘଟିଥିଲା, ଯେଉଁଥିରେ ଜଙ୍ଗଲରୁ ଆତଙ୍କବାଦୀମାନେ ବାହାରି ନିରସ୍ତ୍ର ନାଗରିକଙ୍କ ଉପରେ ଆଖିବୁଜା ଗୁଳି ଚଳାଇବାରୁ ଦୁଇ ଡଜନରୁ ଅଧିକ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା।
ଶ୍ରୀନଗରରେ ପୀଡିତଙ୍କ ପରିବାର ଏବଂ ଉଦ୍ଧାର ପାଇଯାଇଥିବା ଲୋକଙ୍କୁ ଭେଟିବା ପାଇଁ ପହଞ୍ଚିଥିବା ଶାହ ଦୁଃଖ ପ୍ରକାଶ କରିଥିଲେ ଏବଂ ଏହି ଜଘନ୍ୟ ହତ୍ୟାକାଣ୍ଡର ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଶାହ ଲେଖିଛନ୍ତି, ‘ଭାରାକ୍ରାନ୍ତ ହୃଦୟରେ, ମୁଁ ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତମାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି।’
ସ୍ବରାଷ୍ଟ୍ରମନ୍ତ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରତ୍ୟେକ ଭାରତୀୟ ନିଜ ପ୍ରିୟଜନଙ୍କୁ ହରାଇବାର ଯନ୍ତ୍ରଣା ଅନୁଭବ କରୁଛନ୍ତି। ଏହି ଦୁଃଖକୁ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ। ମୁଁ ଏହି ସମସ୍ତ ପରିବାର ଏବଂ ସମଗ୍ର ଦେଶକୁ ଆଶ୍ୱସ୍ତି ଦେଉଛି ଯେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଥିବା ଏହି ଆତଙ୍କବାଦୀମାନଙ୍କୁ ଆଦୌ ଛଡ଼ାଯିବ ନାହିଁ।
#WATCH | Union Home Minister Amit Shah meets the families of the victims of the Pahalgam terrorist attack in Srinagar, J&K pic.twitter.com/z7XvMMcadE
— ANI (@ANI) April 23, 2025

