Categories: ଜାତୀୟ

ବାଜିମାରିଲା ଭାଜପା

ଶ୍ରୀନଗର,୨୯।୧୨: ଜମ୍ମୁ କଶ୍ମୀରରେ ଧାରା ୩୭୦ ହଟାଯିବା ପରେ ପ୍ରଥମ ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନରେ ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ଗୁପକାର ମେଣ୍ଟ ଏବଂ ଭାଜପା ମଧ୍ୟରେ କଡା ଟକ୍କର ହୋଇଥିଲା। ତେବେ ଡିଡିସି ନିର୍ବାଚନରେ ୭୪ଟି ସିଟ ଜିତି ଭାଜପା ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି। ଡିଡିସି ନିର୍ବାଚନରେ ମେଣ୍ଟ ସପକ୍ଷରେ ୧୧୨ରୁ ଅଧିକ ଆସନ ଯାଇଥିବା ବେଳେ ଭାଜପା ୭୪ଟି ଆସନ ଜିତିଛି। ସେହିପରି କଂଗ୍ରେସ ୨୬ଟି ଆସନରେ ବାଜିମାତ କରିଛି। ଅନ୍ୟ ଆସନରେ ସ୍ବାଧୀନ ପ୍ରାର୍ଥୀ ଆଗରେ ଅଛନ୍ତି। ଏଥି ସହ ଦଳର ବିଜୟ ସହ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ଘାଟିରେ ପଦ୍ମ ଫୁଲ ଖେଳି ଯାଇଛି। ଡିଡିସି ନିର୍ବାଚନରେ ଦଳର ବିଜୟ ଗଣତନ୍ତ୍ର ଏବଂ ଭରସାର ବିଜୟ ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି। ସେ କହିଛନ୍ତି ଯେ, ଏହା କଶ୍ମୀରର ଭବିଷ୍ୟତ ପାଇଁ ଚିନ୍ତା କରିବାର ବିଜୟ। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ଏହା ବିରୋଧରେ ନ୍ୟାଶନାଲ କନଫରେନ୍ସ ଓ ମେହବୁବା ମୁଫତିଙ୍କ ପିଡିପି ଭଳି ୭ଟି ଦଳ ଏକାଠି ହୋଇ ଗୁପକାର ମେଣ୍ଟ ଗଠନ କରିଥିଲେ।
ସୂଚନାଯୋଗ୍ୟ, ଡିଡିସି ନିର୍ବାଚନରେ ସମସ୍ତ ଆସନର ଫଳାଫଳ ଘୋଷଣା କରାଯାଇଛି। ୨୭୬ଟି ଆସନର ଫଳାଫଳ ଆସିଛ। ୭୪ଟି ସିଟ ସହ ଡିଡିସି ନିର୍ବାଚନରେ ଭାଜପା ଜିତିଛି। ଗୁପକାର ମିଳିତ ମେଣ୍ଟର ଏନସି ୬୭ ଟି ସିଟ, ପିଡିପି -୨୭, ଆପ୍ନେ ପାର୍ଟି -୧୨, ପିପୁଲ୍ସ କନଫରେନ୍ସ -୮, ପିପୁଲ୍ସ ମୁଭମେଣ୍ଟ -୦୩ ସିଟ ପାଇଛି। ସେହିଭଳି କଂଗ୍ରେସ -୨୬, ବିଏସପି -୦୧ ଏବଂ ପାନ୍ଥର୍ସ ଗୋଟିଏ ଆସନ ଜିତିବାରେ ସଫଳ ହୋଇଥିଲେ। ସ୍ବାଧୀନମାନେ ୩୯ଟି ଆସନ ପାଇଥିଲେ।

Share