ପାଣି ନିଷ୍କାସନ ନାଳ ଜବରଦଖଲ

ପଦ୍ମପୁର,୨।୯(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତ ବଡ଼କପାଗଡ଼ିଆ ଛକଠାରୁ କଞ୍ଚୁଡ଼ି ନଦୀ ପର୍ଯ୍ୟନ୍ତ ମୁଖ୍ୟରାସ୍ତାର ଦକ୍ଷିଣ ପାର୍ଶ୍ୱରେ ଏକ ପାଣି ନିଷ୍କାସନ ନାଳକୁ ଜବରଦଖଲ କରାଯାଇଛି। କେତେଜଣ ବ୍ୟକ୍ତି ଜବରଦଖଲ କରି ନାଳ ପୋତି ନିଜର ବବ୍ୟକ୍ତିଗତ ସ୍ବାର୍ଥ ସାଧନ କରୁଛନ୍ତି। ଏପରିକି ବିଭିନ୍ନ ପ୍ରକାର ନିର୍ମାଣ କାମ କରି ଚାଲିଥିବା ଅଭିଯୋଗ ହେଉଛି। ନାଳର ଆରମ୍ଭ ସ୍ଥାନ ଓ ମଧ୍ୟସ୍ଥଳ ନାଳର ଶେଷ ସ୍ଥାନ (ପଦ୍ମପୁର-ବିରସ ରାସ୍ତାର ପଦ୍ମପୁର ଛକ ତ୍ରିଛକିଠାରେ ଏକ କଲଭର୍ଟ ମୁହଁରେ ମାଟି ପକାଇ ଏବଂ ନିର୍ମାଣ କାର୍ଯ୍ୟ କରି ସମ୍ପୂର୍ଣ୍ଣ ଭାବେ ଆବଦ୍ଧ କରାଯାଇଥିବାରୁ ନାଳରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ୨ଟି ସ୍କୁଲ ସର୍ତ୍ତରପୁର ପ୍ରାଥମିକ ଓ ପଦ୍ମପୁର ମାଳତୀଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର, ରାସ୍ତା ଓ ୭ ଗାଁ ସବୁବେଳେ ଜଳମଗ୍ନ ହୋଇ ରହୁଛି। ଫଳରେ ସ୍କୁଲ ପିଲା ଏବଂ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଗାଁ ଗଣ୍ଡାର ଖଳାବାଡ଼ି, ରାସ୍ତା ମଧ୍ୟ ପାଣିରେ ବୁଡ଼ି ଯାଉଛି। ଏଣୁ ସରକାରୀ ଭାବେ ମାପଚୁପ କରାଯାଇ ନାଳର ପୁନରୁଦ୍ଧାର, ପକାଯାଇଥିବା ମାଟି ଉଠାଣ ଏବଂ ବେଆଇନ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି। ତହସିଲଦାର, ଆର୍‌ଆଇ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବହୁବାର ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ପୂର୍ବତନ ସରପଞ୍ଚ ସଞ୍ଜୀବ କୁମାର ନାୟକଙ୍କ ସମେତ ପଞ୍ଚାୟତବାସୀ କହିଛନ୍ତି।