ପଦ୍ମପୁର,୨୬।୮(ପ୍ରଦୀପ୍ତ ଦାଶ): ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି ।
ସତ୍ୟଭୂଷଣ ସାହୁ ୧୯୮୦, ୧୯୮୫ ଓ ୨୦୦୪ ମସିହାରେ ପଦ୍ମପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇ ତିନିଥର ଓଡ଼ିଶା ବିଧାନ ସଭାକୁ ପ୍ରତିନିଧିତ୍ୱ କରିଥିଲେ । ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ତୁଲାଇଥିଲେ ।
ତାଙ୍କ ଦୀର୍ଘ ରାଜନୈତିକ ଜୀବନରେ ସେ ପଦ୍ମପୁର ଅଞ୍ଚଳର ବିଭିନ୍ନ ଜନସମସ୍ୟା ଓ ବିକାଶମୂଳକ ପ୍ରସଙ୍ଗକୁ ନେଇ ସକ୍ରିୟ ଭୂମିକା ନେଇଥିଲେ । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପଦ୍ମପୁର ଅଞ୍ଚଳର ରାଜନୈତିକ, ସାମାଜିକ ଓ କଂଗ୍ରେସ ମହଲରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ମହଲରୁ ତାଙ୍କ ବିୟୋଗରେ ଶୋକପ୍ରକାଶ କରାଯାଇଛି ।