ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପାଇବେ ସାହିତ୍ୟ ଭାରତୀ ସମ୍ମାନ

କଟକ ଅଫିସ,୩ା୩:ଗଙ୍ଗାଧର ରଥ ଫାଉଣ୍ଡେଶନ ପକ୍ଷରୁ ସର୍ବୋଚ୍ଚ ‘ସାହିତ୍ୟ ଭାରତୀ ସମ୍ମାନ : ୨୦୨୩’ ସାହିତି୍ୟକ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ ପ୍ରଦାନ କରାଯିବ। ଏହି ସମ୍ମାନ ବାବଦକୁ ତାଙ୍କୁ ୧ ଲକ୍ଷ ଟଙ୍କା ଓ କୋଣାର୍କ ସୂର୍ଯ୍ୟ ମନ୍ଦିରର ରୌପ୍ୟ ପ୍ରତିକୃତି ଦିଆଯିବ। ସେ ଜଣେ କବି ଭାବେ ଖ୍ୟାତି ଅର୍ଜନ କରିଥିଲେ ବି ଅଦ୍ୟାବଧି ୩୨୩ ଖଣ୍ଡ ପୁସ୍ତକ ରଚନା ସହିତ ଅନେକ ଅନୁବାଦ କାର୍ଯ୍ୟ କରି ସାରସ୍ବତ ଜଗତରେ ନିଜର ସ୍ବତନ୍ତ୍ରତାକୁ ପ୍ରତିପାଦିତ କରିଛନ୍ତି। ତାଙ୍କର ସାରସ୍ବତ କର୍ମ ପାଇଁ ଓଡ଼ିଆ ସାହିତ୍ୟ ବିଶେଷ ଭାବରେ ଋଦ୍ଧିମନ୍ତ ହୋଇଛି। ଏତଦ୍‌ ବ୍ୟତୀତ ଚିତ୍ରକଳା କ୍ଷେତ୍ରରେ ମଧ୍ୟ ତାଙ୍କର ବେଶ୍‌ ସୁନାମ ରହିଛି। କଟକ ଦରଘା ବଜାରସ୍ଥିତ ଗଙ୍ଗାଧର ରଥଙ୍କ ବାସଭବନରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଫାଉଣ୍ଡେଶନ ପକ୍ଷରୁ ଚଳିତ ବର୍ଷର ଅନ୍ୟାନ୍ୟ ସମ୍ମାନ ଓ ପୁରସ୍କାର ସମ୍ପର୍କରେ ସମ୍ପାଦିକା ସୁସ୍ମିତା ରଥ ଘୋଷଣା କରିଛନ୍ତି।
ଫାଉଣ୍ଡେଶନର ପ୍ରତିଷ୍ଠାତାଙ୍କ ନାମରେ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀଙ୍କୁ ପ୍ରଦାନ କରାଯିବ। ଏହି ସମ୍ମାନ ସହ ତାଙ୍କୁ ଏକ ରୌପ୍ୟ ଫଳକ ଓ ମାନପତ୍ର ପ୍ରଦାନ କରାଯିବ। କାବ୍ୟ ସାହିତ୍ୟରେ ବିଶେଷ ପରାକାଷ୍ଠା ପାଇଁ କବି ଭଗବାନ ଜୟସିଂହଙ୍କୁ ଭାନୁଜୀ ରାଓ ସ୍ମାରକୀ ପୁରସ୍କାର ଏବଂ କଥାସାହିତ୍ୟରେ ବିଶେଷ କୃତିତ୍ୱ ନିମନ୍ତେ କଥାକାର ମାନସୀ ଦାସଙ୍କୁ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ। ଉଭୟଙ୍କୁ ୨୫ହଜାର ଲେଖାଏ ଟଙ୍କା ଓ ଉପଢୌକନ ଦିଆଯିବ। ସେହିପରି ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଡ. ମୌସୁମୀ ପରିଡ଼ା ଓ ରବିନାରାୟଣ ଦାଶଙ୍କୁ ସୁବ୍ରତ ରଥ ସ୍ମାରକୀ ପୁରସ୍କାରରେ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଓ ରୌପ୍ୟ ଉପଢୌକନ ପ୍ରଦାନ କରାଯିବ। ଆଗାମୀ ୧୯ ତାରିଖରେ କଳାବିକାଶ କେନ୍ଦ୍ରଠାରେ ଆୟୋଜିତ ସାରସ୍ବତ ସମାରୋହରେ ଏହି ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯିବ। ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଯୋଗଦେଇ ସମାରୋହକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏଥିରେ ମୁଖ୍ୟବକ୍ତା ଭାବେ କବି ଅପର୍ଣ୍ଣା ମହାନ୍ତି ଯୋଗଦେବେ। ଫାଉଣ୍ଡେଶନର ଟ୍ରଷ୍ଟି ଡା. ଜୟନ୍ତ ରଥ, ଡ. ବିଜୟାନନ୍ଦ ସିଂହ ଓ ଆଇନଜୀବୀ ସଞ୍ଜୟ ରଥ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୧୯୯୬ରୁ ଏହି ସମ୍ମାନରେ ବହୁ ଯୋଗ୍ୟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଆସୁଛି।