Categories: ଖେଳ

ଅତିସହଜରେ ରୟାଲ ଲଢ଼େଇ ଜିତିଲା ଆର୍‌ସିବି

ମୁମ୍ବାଇ,୨୨।୪ : ପ୍ରଥମେ ବୋଲିଂ ଓ ତା’ ପରେ ଦେବଦତ୍ତ ପାଡିକଲ ଏବଂ ବିରାଟ କୋହଲିଙ୍କ ଓପନିଂ ଭାଗିଦାରୀ ଯୋଗୁ ୧୦ ଉଇକେଟରେ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ଚଳିତ ଆଇପିଏଲରେ ଏହା ଦଳର କ୍ରମାଗତ ୪ର୍ଥ ବିଜୟ। ଏଥିସହ ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି। କ୍ୟାରିୟରର ପ୍ରଥମ ଆଇପିଏଲ ଶତକ ହାସଲ କରିଛନ୍ତି ପାଡିକଲ। ୭୨ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଅବସରରେ କୋହଲି ଆଇପିଏଲରେ ୬ ହଜାର ରନ୍‌ ପୂରଣ କରିଛନ୍ତି। ଏହା ଥିଲା ମ୍ୟାଚ୍‌ର ଉଲ୍ଲେଖନୀୟ ଘଟଣା।

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ପୂରା ୨୦ ଓଭରରେ ୯ ଉଇକେଟ ହରାଇ ୧୭୭ ରନ୍‌ କରିଥିଲା। ଦଳ ପାଇଁ ଶିଭମ ଦୁବେ ୪୬ (୫ ଚୌକା ଓ ୨ ଛକା) ଓ ରାହୁଲ ତଓ୍ବୋତିଆ ୪୦ ( ୪ ଚୌକା ଓ ୨ ଛକା) ରନ୍‌ କରିଥିଲେ। ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ ଓ ହର୍ଶଲ ପଟେଲ ହାତେଇଥିଲେ ୩ ଲେଖାଏ ଉଇକେଟ। ଏହାପରେ କୋହଲି ଓ ପାଡ଼ିକଲଙ୍କ ଓପନିଂ ଯୋଡ଼ି ଆଟାକିଂ ବ୍ୟାଟିଂ କରିବା ସହ ରାଜସ୍ଥାନ ବୋଲରଙ୍କୁ ଦେଇ ନ ଥିଲେ ଉଇକେଟ ନେବାର ସୁଯୋଗ। ଦୁହେଁ ୧୬.୩ ଓଭରରେ ୧୮୧ ରନ୍‌ ଦଳକୁ ଜିତାଇ ଦେଇଥିଲେ ମ୍ୟାଚ୍‌। କୋହଲି ୭୨ (୬ ଚୌକା ଓ ୩ ଛକା) ଓ ପାଡିକଲ ୧୦୧ (୧୧ ଚୌକା ଓ ୬ ଛକା) ରନ୍‌ କରି ଅପରାଜିତ ଥିଲେ।

Share