ଅଦିନିଆ ବର୍ଷାରେ ବ୍ୟାପକ ଧାନଫସଲ ନଷ୍ଟ

କର୍ଲାମୁଣ୍ଡା,୧୦ା୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ପାଚିଲା ଧାନ ନଷ୍ଟ ହେବାକୁ ବସିଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧାନ ପାଚି ଯାଇଥିବାରୁ ଚାଷୀମାନେ ତରତର ହୋଇ ଧାନ କାଟି ବିଲରେ ରଖିଛନ୍ତି। ଚଳିତ ବର୍ଷ ଏହି ବ୍ଲକରେ ବର୍ଷା ଅଭାବ ଯୋଗୁ ମରୁଡ଼ିର ଶିକାର ଚାଷୀ ହୋଇଥିବା ବେଳେ ଯାହା କିଛି ଧାନ ବଞ୍ଚି ରହିଥିଲା, ତାହା ଏବେ ଅଦିନିଆ ବର୍ଷା ଧୋଇ ନେଲାଣି। ଧାନଫସଲ ପାଣିରେ ଭିଜି ଯାଇଥିବାରୁ ଗଜା ହେବା ଆଶଙ୍କା ନେଇ ଚିନ୍ତାରେ ଥିବା କାର୍ନିଖୁଣ୍ଟି ଗାଁର ଚାଷୀ ତିରଞ୍ଜି ମେର୍ଲି କହିଛନ୍ତି। ବ୍ଲକର ଜୋରାଡବରା ପଞ୍ଚାୟତ କାର୍ନିଖୁଣ୍ଟି ଗାଁରେ ଗତ ସପ୍ତାହରେ ହୋଇଥିବା ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କ ବିଲରେ ଥିବା ଧାନଫସଲ କ୍ଷତି ହୋଇ ଥିବା ଦେଖିବାକୁ ମିଳିଛି। ଏଣୁ କୃଷି ବିଭାଗ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।