କୁଆପଥର ବର୍ଷାରେ ଧାନ, କପା ଚାଷ ନଷ୍ଟ

ଗୋଲାମୁଣ୍ଡା,୬।୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକର ୩ଟି ଗ୍ରାମପଞ୍ଚାୟତରେ ଶନିବାର ରାତିରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି। ଏଥିଯୋଗୁ ଧାନ, କପା, ଆଖୁ, ବିଭିନ୍ନ ପନିପରିବା ଚାଷ ଓ ଡାଲି ଜାତୀୟ ଫସଲ ନଷ୍ଟ ହେବା ସହିତ ବଡ଼ ବଡ଼ ଗଛ ଉପୁଡି ପଡିଥିବା ବେଳେ ଅନେକ ଜାଗାରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିିଛି। ଫଳରେ ବ୍ଲକର ଚହକା, ଉଛୁଲା ଓ ବଡ଼ଚେରଗାଁ ପଞ୍ଚାୟତର ଚାଷୀ ଚିନ୍ତାରେ ଅଛନ୍ତି। ଏହି ୩ଟି ପଞ୍ଚାୟତରେ ଧାନ ଓ କପା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିଲରେ ଧାନ ଫସଲ ଲହଡି ଭାଙ୍ଗୁଥିବା ବେଳେ କୁଆପଥର ବର୍ଷରେ ଧାନ ବିଲରେ ଧାନ ଫସଲ ସୋଇ ପଡ଼ିଥିବା ବେଳେ ପାଚିଲା ଧନ ସବୁ ବିଲରେ ଗଦା ହୋଇପଡିଛି। ବିଲରେ ବର୍ଷାପାଣି ଚାଲୁଥିବା ବେଳେ ଏପରି ପରିସ୍ଥିରେ ଚାଷୀ ବିଲ ମଧ୍ୟରେ ତାର ବର୍ଷ ଯାକର ଧାନ ଚାଷକୁ ବିଲ ମଧ୍ୟରେ ଖୋଜି ବୁଲୁଛି। ଆଉ କିଛି ଦିନ ପରେ ଚାଷୀ କପା ଚାଷ ଅମଳ କରିବାକୁ ଥିବା ବେକେ କୁଆପଥର ବର୍ଷା ସବୁ ନଷ୍ଟ କରି ଦେଇଛି। କୁଆପଥର ବର୍ଷା ଯୋଗୁ ଗଛରେ ଝଟକୁଥିବା ଧଳା କପା ପଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଞ୍ଚଳର ଡାଲି ଜାତୀୟ ଫସଲ ଓ ପନି ପରିବା ଚାଷ ମଧ୍ୟ ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ଏପରିସ୍ଥଳେ ଚାଷୀକୁ ତାର ବିହନ ମିଳିବା ବି କି ନାହିଁ ଚାଷୀ ଘୋର ଚିନ୍ତରେ ଅଛନ୍ତି। ଅନେକ ଜାଗାରେ ବଡ଼ ବଡ଼ ଗଛ ଉପୁଡି ରାସ୍ତାରେ ପଡ଼ିିଛି। ରାସ୍ତାରେ ବଡ଼ ବଡ଼ ଗଛ ପଡି ରହିଥିବାରୁ ବଡ଼ଚେରଗାଁ କେଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଛି। ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ପକ୍ଷରୁ ଗଛ କାଟି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି। କେତେକ ଯାଗାରେ ଲୋକଙ୍କ ଚାଳ ଛପର ମଧ୍ୟ ଉଡାଇ ନେଇଥିବା ଦେଖିବାକୁ ମିଳିଛି। ଏପରିସ୍ଥଳେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହେଉଛି। ଅପରପକ୍ଷରେ କ୍ଷୟକ୍ଷତି ଆକଳନ ପାଇଁ ଏହି ଅଞ୍ଚଳରେ କୃଷି ବିଭାଗ ସହିତ ତହସିଲଦାର ଅଶୋକ ପଟ୍ଟନାୟକ ଓ ବିଡ଼ିଓ ଅକ୍ଷୟମିତା କାର୍ତ୍ତିକ ବୁଲୁଥିବା ଦେଖିବାକୁ ମିଳିଛି। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ମଧ୍ୟ ଯଥାଶୀଘ୍ର ବିଦ୍ୟୁତ୍‌ ଯୋଗାଣ ପାଇଁ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହି ୩ଟି ଗ୍ରାମପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମିରେ ଧାନ, କପା, ଆଖୁ, ଡାଲି ଜାତୀୟ ଫସଲ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତି ଆକାଳନ ପରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ବୋଲି ଜଣାପଡିବ ବୋଲି ତହସିଲଦାର ପଟ୍ଟନାୟକ ପ୍ରକାଶ କରିଛନ୍ତି।