ବୈତରଣୀ ନଦୀବନ୍ଧରୁ ଧସିଲା ପଥର ପ୍ୟାକିଂ

ଆରଡ଼ି,୩।୭(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସାଠିବାଙ୍କୁଡ଼ା ନିକଟରେ ବୈତରଣୀ ନଦୀବନ୍ଧରେ କାମ ଚାଲୁ ରହିଥିବା ବେଳେ ରବିବାର ପ୍ରାୟ ୫୦ ଫୁଟ୍‌ ପଥରପ୍ୟାକିଂ ନଦୀଗର୍ଭକୁ ଧସିଯାଇଛି। ବର୍ଷା ପୂର୍ବରୁ ନଦୀବନ୍ଧ ଧସିଥିବାରୁ ସ୍ଥାନୀୟ ଅଧିବାସୀ ଭୟଭୀତ ହୋଇପଡ଼ିଛନ୍ତି।
ନଦୀରୁ ବର୍ଷ ସାରା ବେଆଇନ ବାଲି ଉଠାଣ ଯୋଗୁ ନଦୀବନ୍ଧକୁ କଟାଯାଇ ଟ୍ରାକ୍ଟର ଓ ଜେସିବି ଆଦି ଦ୍ୱାରା ବାଲି ଚାଲାଣ କରାଯାଇଥାଏ। ଫଳରେ ନଦୀବନ୍ଧ ଅସୁରକ୍ଷିତ ହେବା ସହ ପଥରପ୍ୟାକିଂ ଦବିବା କିମ୍ବା ଧସିବା ସ୍ବାଭାବିକ କଥା। ଏଥିସହ ନଦୀରେ ସବୁଦିନ ଜୁଆର ଆସୁଥିବାରୁ ପଥରପ୍ୟାକିଂ ଧସିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହାବ୍ୟତୀତ ପଥରପ୍ୟାକିଂ କାମ ନିମ୍ନମାନର ବୋଲି ସାଠିବାଙ୍କୁଡ଼ା ଗ୍ରାମର କେତେଜଣ ବ୍ୟକ୍ତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଧାମନଗର ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ କିଶୋର ଦାସ କହିଛନ୍ତି, ନଦୀଶଯ୍ୟାରେ ପଥରପ୍ୟାକିଂ କାମ ଚାଲିଛି। ଯେଉଁ ସ୍ଥାନରେ ପଥରପ୍ୟାକିଂ ଧସିଛି, ତାହା ନଦୀ ସୁରକ୍ଷା ବନ୍ଧ ପ୍ରତି କୌଣସି କ୍ଷତି ଆଣିବ ନାହିଁ।