ଶିଶୁକୁ ଝୁଣି ପକାଇଲେ କୁକୁରପଲ, ମୁଣ୍ଡରେ ଲାଗିଛି ଆଘାତ, ଡାକ୍ତର କହିଲେ…

ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ସାରଙ୍ଗ ବିହାର ଛକ ନିକଟରେ ଏକ ଭଡ଼ାଘରେ ରହୁଥିବା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ବିଶିକେଶନ ଗୌଡ଼ଙ୍କ ଏକମାତ୍ର ପୁଅ ଆରୁଷ କୁମାର ଗୌଡ଼(୬) ମାମୁଘର ଗାଁ ମହାନଳା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ଚଳିତବର୍ଷ ପ୍ରଥମ ଶ୍ରେଣୀରେ ନାମ ଲେଖାଇଛନ୍ତି। ଆରୁଷଙ୍କୁ ୬ ବୁଲା କୁକୁର ଝୁଣି ଖଣ୍ଡିଆ ଖାବରା କରି ପକାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଆବଶ୍ୟକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ମୁଣ୍ଡରେ ପ୍ଲାଷ୍ଟିକ ସର୍ଜରୀ କରାଯିବ ବୋଲି ଡାକ୍ତର କହିଥିବା ଆରୁଷଙ୍କ ମାମୁ ଜାଗେଲା ମହାଙ୍କୁଡ଼ କହିଛନ୍ତି। କୁକୁର ତାଙ୍କ ମୁଣ୍ଡ ଖପୁରିର କିଛି ଅଂଶକୁ କାମୁଡ଼ି ଚୁଟି ସହିତ ମାଂସ ଟାଣି ନେଇଥିବା ଯୋଗୁ ମୁଣ୍ଡର ଉପର ଭାଗରେ ଗଭୀର କ୍ଷତ ହୋଇଥିବା ବେଳେ ମୁହଁ ପିଠି ଓ ଶରୀରର ବିଭିନ୍ନ ଭାଗକୁ କୁକୁରପଲ କାମୁଡ଼ି କ୍ଷତାକ୍ତ କରିଥବା ଜଣାପଡ଼ିଛି। ଆରୁଷ ତାଙ୍କ ସମ୍ପର୍କୀୟ ଭାଇ ଆୟୁଷ ଏବଂ ସୌମ୍ୟଜିତ ୩ ସାଙ୍ଗ ସାଇକେଲ ଚଳାଇ ଖେଳୁଥିଲେ। ସୌମ୍ୟଜିତ ସାଇକେଲ ନେଇ ପାଣି ଆଣିବାକୁ ଯାଇଥିବା ବେଳେ ଆରୁଷ ଏବଂ ଆୟୁଷଙ୍କୁ କୁକୁରପଲ ଗୋଡ଼ାଇଥିଲେ। ଆରୁଷ ଦୌଡ଼ି ନ ପାରି ତଳେ ପଡିଯିବାରୁ କୁକୁର ପଲ ତାଙ୍କୁ କାମୁଡ଼ି ଚାଲିଥିଲେ। ପାଖରେ ଥିବା ଜଣେ ରାଜମିସ୍ତ୍ରୀ ସୁଶାନ୍ତ ସାହୁ ଓ ତାଙ୍କ ସ୍ତ୍ରୀ ଘଉଡ଼ାଇବାରୁ କୁକୁରପଲ ଚାଲିଯାଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

Dharitri – Odisha’s No.1 Odia Daily

Share