ବୈଜ୍ଞାନିକଙ୍କ ଚେତାବନୀ ଭୟଙ୍କର ହେବ ଆଗାମୀ ମହାମାରୀ

ଲଣ୍ଡନ,୬।୧୨: ଭବିଷ୍ୟତରେ ଆସିବାକୁ ଥିବା ମହାମାରୀ କୋଭିଡ୍‌-୧୯ଠାରୁ ଅଧିକ ଭୟଙ୍କର ହୋଇପାରେ। କରୋନା ଅପେକ୍ଷା ଏହା ବେଶୀ ସଂକ୍ରାମକ ଓ ଘାତକ ହୋଇପାରେ। ଏଥିପାଇଁ ବିଶ୍ୱ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ଅକ୍ସଫୋର୍ଡ-ଆଷ୍ଟ୍ରଜେନିକା ଭାକ୍ସିନ ପ୍ରସ୍ତୁତକର୍ତ୍ତାଙ୍କ ମଧ୍ୟରୁ ଅନ୍ୟତମ ବୈଜ୍ଞାନିକ ସାରା ଗିଲବର୍ଟ କହିଛନ୍ତି।

ଜୋନ୍ସ ହପ୍‌କିନ୍‌ସ ୟୁନିଭର୍ସିଟି ଅନୁସାରେ କରୋନାରେ ୫୨,୭୩,୩୧୦ ଲୋକଙ୍କ ମୃତ୍ୟୁ ଘଟିଛି। ବିଶ୍ୱକୁ ଟ୍ରିଲିୟନ ଟ୍ରିଲିୟନ ଡଲାର କ୍ଷତି ସହିବାକୁ ପଡ଼ିଛି। କୋଟି କୋଟି ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି। କିନ୍ତୁ ଆମ ଜୀବନ ଓ ଜୀବିକାକୁ ପ୍ରଭାବିତ କରିବାରେ ଏହା ଶେଷ ଭୂତାଣୁ ନୁହେଁ। ଆଗକୁ ଆହୁରି କଠିନ ସମୟ ଦେଇ ଗତି କରିବାକୁ ପଡ଼ିବ। ତେଣୁ ଏବେଠାରୁ ହିଁ ଭବିଷ୍ୟତର ମହାମାରୀ ସହ ଲଢ଼ିବା ପାଇଁ ସଭିଏଁ ପ୍ରସ୍ତୁତ ବୋଲି ବିଶ୍ୱ ସୁନିଶ୍ଚିତ କରିବା ଜରୁରୀ ହୋଇପଡ଼ିଥିବା ଗିଲବର୍ଟ କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଏକ ସ୍ବାସ୍ଥ୍ୟ ବିଶେଷଜ୍ଞ କମିଟି ମହାମାରୀର ମୁକାବିଲା ନିମନ୍ତେ ଏକ ସ୍ଥାୟୀ ଫଣ୍ଡିଂ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି କହିଛି। ଏହି ପ୍ରସ୍ତୁତି ପାଇଁ ବର୍ଷକୁ ଅତିକମ୍‌ରେ ୧୦ ବିଲିୟନ ଡଲାର ଅର୍ଥ ମହଜୁଦ ରଖିବାକୁ ପଡ଼ିବ ବୋଲି କମିଟି ପ୍ରସ୍ତାବ ଦେଇଛି।

Share