ସାର୍‌ ଗାଈ ଦେଉନି କ୍ଷୀର, ଥାନାକୁ ଡାକି ଟିକେ ବୁଝାଅ ବୋଲି ମାଲିକଙ୍କ ଗୁହାରି…

ଶିମୋଗା,୮।୧୨: ପୋଲିସ ଷ୍ଟେସନରେ ସାଧାରଣତଃ ଚୋରି, ଡକାୟତି, ଧମକ, ଆକ୍ରମଣ, ହତ୍ୟା ଏବଂ ବଳାତ୍କାରର ମାମଲା ଆଦି ରୁଜୁ ହୋଇଥାଏ। କିନ୍ତୁ ବେଳେବେଳେ ଏପରି ମାମଲା ମଧ୍ୟ ପୋଲିସ ଷ୍ଟେଶନକୁ ଆସିଥାଏ, ଯାହା ଶୁଣିବା ପରେ ପୋଲିସ ମଧ୍ୟ ବିରକ୍ତ ହୋଇଥାନ୍ତି। ନିକଟରେ କର୍ନାଟକ ପୋଲିସକୁ ଏଭଳି ଏକ ମାମଲାର ସମ୍ମୁଖୀନ ହେବାକୁ ପଡ଼ିଛି। ଜଣେ ବ୍ୟକ୍ତି ତାଙ୍କ ଗାଈ ବିରୋଧରେ ମାମଲା ରୁଜୁ କରିବାକୁ ପୋଲିସ ନିକଟକୁ ଯାଇଥିଲେ। ସେ ପୋଲିସକୁ କହିଛନ୍ତି ଯେ ତାଙ୍କ ଗାଈ ୪ ଦିନ ହେଲା କ୍ଷୀର ଦେଉନାହିଁ। ତେଣୁ ତାଙ୍କ ଗାଈ ବିରୋଧରେ ଏକ ମାମଲା ରୁଜୁ ହେବା ଉଚିତ।

ଖବର ଅନୁଯାୟୀ, କର୍ନାଟକର ଶିମୋଗା ଜିଲାର ସିଡଲିପୁରା ଗାଁର ଏହି ମଜାଦାର ଘଟଣା ଘଟିଛି। ଏହି ଗ୍ରାମରେ ରହୁଥିବା କୃଷକ ରମୈୟା ଏଭଳି ଅଭିଯୋଗ ନେଇ ହୋଲେହେନ୍ନେୁର ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଯେତେବେଳେ ସେ ତାଙ୍କ ଅଭିଯୋଗ ପୋଲିସକୁ କହିଥିଲେ, ସେତେବେଳେ ପୋଲିସର ହସି ହସି ବେଦମ୍‌ ହୋଇଯାଇଥିଲେ। ତାଙ୍କ ଗାଈ ଗତ ୪ ଦିନ ଧରି କ୍ଷୀର ଦେଉନାହିଁ। ସେ ପ୍ରତିଦିନ ଗାଈକୁ ଭଲ ଖାଇବାକୁ ମଧ୍ୟ ଦେଉଛନ୍ତି। ଗାଈକୁ ପୋଲିସ ଷ୍ଟେସନକୁ ଡାକି ବୁଝାଇବାକୁ ରମୈୟା ଜିଦ ଧରିଥିଲେ।

ସେ ପୋଲିସକୁ କହିଥିଲେ ଯେ ଗାଈକୁ ପ୍ରତିଦିନ ସକାଳ ୮ ଟାରୁ ପୂର୍ବାହ୍ନ ୧୧ ଟା ଏବଂ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତି। ଖାଦ୍ୟ ଖାଇବା ପରେ ମଧ୍ୟ ଗାଈ କ୍ଷୀର ଦେଉ ନାହିଁ ଏବଂ ଯାହା ଭୁଲ ବୋଲି ସେ କହିଥିଲେ। ସାର୍‌ ମୋ ଗାଈକୁ ଟିକେ ପୋଲିସ ଷ୍ଟେଶନକୁ ଡାକି କ୍ଷୀର ଦେବା ପାଇଁ ବୁଝାନ୍ତୁ ବୋଲି ରମୈୟା କହିଥିଲେ।

ପୋଲିସ ପ୍ରଥମେ ରମୈୟାଙ୍କ ଅଭିଯୋଗ ଶୁଣିଥିଲା। ଅଭିଯୋଗ ଶୁଣିବା ପରେ ପୋଲିସ ତାଙ୍କୁ ବୁଝାଇବା ସହିତ କହିଥିଲେ ଯେ ଏଭଳି ମାମଲାର ସମାଧାନ ପୋଲିସ ଷ୍ଟେଶନରେ ହୁଏନାହିଁ। ଏଭଳି ମାମଲା ରୁଜୁ କରାଯାଏ ନାହିଁ। ତେବେ କିପରି ଏହି ସମସ୍ୟାର ସମାଧାନ ହେବ ସେସମ୍ପର୍କରେ ବୁଝାଇ ସୁଝାଇ ଘରକୁ ପଠାଇ ଦେଇଥିଲା। ତେବେ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share