ଥରେ ଭାବନ୍ତୁ ଆପଣ କାର୍ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା କାର୍କୁ ଧରି ରଖିବେ? ବୋଧହୁଏ ଆପଣ କହିପାରନ୍ତି ନିଜ ଜୀବନ ବଞ୍ଚାଇବେ। ହେଲେ ସୋସିଆଲ ମିଡିଆରେ ଏବେ ଏକ ଭାବୁକ କରିଦେବା ଭଳି ଭିଡିଓ ଖୁବ୍ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି, ଯାହା ହଜାର ହଜାର ଲୋକଙ୍କ ହୃଦୟକୁ ଛୁଇଁଯାଇଛି। ବନ୍ୟାର ପ୍ରଖର ସ୍ରୋତ ମଧ୍ୟରେ ଜଣେ ବ୍ୟକ୍ତି ନିଜ କାର୍କୁ ଛାଡ଼ିବାକୁ ମନା କରିଦେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ଚାରିଆଡ଼େ ପାଣି ଜମି ରହିଥିଲେ ମଧ୍ୟ ସେ ନିଜର କାର୍ ‘ଟାଟା ନେକ୍ସନ୍’ ସହ ଦୃଢ଼ ଭାବେ ଠିଆ ହୋଇ ରହିଛନ୍ତି। ଏହି ଦୃଶ୍ୟ ଦେଖିବା ପରେ ଲୋକେ ଏହାକୁ କେବଳ ଗୋଟିଏ ଗାଡ଼ିର କାହାଣୀ ନୁହେଁ, ବରଂ କଠିନ ପରିଶ୍ରମ, ସଂଘର୍ଷ ଏବଂ ଭାବନାର ଏକ ପ୍ରତୀକ ବୋଲି କହୁଛନ୍ତି।
ଏହି ଭିଡିଓଟି ସର୍ବପ୍ରଥମେ ମହାରାଷ୍ଟ୍ରର ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଶେୟାର କରିଥିଲେ। ଭିଡିଓରେ ଦେଖାଯାଉଛି ଯେ ସମ୍ପୂର୍ଣ୍ଣ ରାସ୍ତା ପାଣିରେ ବୁଡ଼ି ରହିଛି। ପାଣିର ସ୍ତର ଏତେ ବଢ଼ିଯାଇଛି ଯେ ଗାଡ଼ି ମାଲିକ ଜଣକ ନିଜ ଛାତି ପର୍ଯ୍ୟନ୍ତ ପାଣିରେ ଠିଆ ହୋଇଛନ୍ତି। ତଥାପି ସେ ନିଜ ପ୍ରିୟ କାର୍କୁ ଏକା ଛାଡ଼ି ଯାଉନାହାନ୍ତି ଏବଂ ତାହାକୁ ଧରି ଉଦ୍ଧାରକାରୀଙ୍କୁ ଅପେକ୍ଷା କରିଛନ୍ତି।
ଭିଡିଓର ପରବର୍ତ୍ତୀ ଭାଗରେ ଦେଖିବାକୁ ମିଳୁଛି ଯେ, ବହୁ ସମୟ ପରେ ଏକ କ୍ରେନ୍ ଏବଂ ଜେସିବି ସାହାଯ୍ୟରେ ଗାଡ଼ିକୁ ପାଣିରୁ ବାହାର କରିବାକୁ ଚେଷ୍ଟା କରାଯାଉଛି। ଜେସିବି ସାହାଯ୍ୟରେ କାର୍କୁ ଟାଣି ଟାଣି ଏକ ସୁରକ୍ଷିତ ସ୍ଥାନକୁ ନିଆଯାଉଥିବା ବେଳେ ଗାଡ଼ି ମାଲିକ ମଧ୍ୟ ସେହି ପାଣି ଭିତରେ ଗାଡ଼ି ସହ ସାଙ୍ଗେ ସାଙ୍ଗେ ଚାଲୁଛନ୍ତି। ସମ୍ପୂର୍ଣ୍ଣ ସମୟ ତାଙ୍କ ନଜର ନିଜ ଗାଡ଼ି ଉପରେ ହିଁ ରହିଛି। ଏହି ଦୃଶ୍ୟ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ସବୁଠାରୁ ଅଧିକ ଭାବୁକ କରୁଛି।
ଭିଡିଓ ସହ ଲେଖାଯାଇଥିବା କ୍ୟାପସନ୍ ମଧ୍ୟ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି। ସେଥିରେ ଲେଖାଅଛି ଯେ, କିଛି ଲୋକଙ୍କ ପାଇଁ କାର୍ କେବଳ ଏକ ମେସିନ୍ ହୋଇଥାଇପାରେ, କିନ୍ତୁ ଅନେକଙ୍କ ପାଇଁ ଏହା ବର୍ଷ ବର୍ଷର ପରିଶ୍ରମ, ସ୍ୱପ୍ନ ଏବଂ ଅଗଣିତ ସ୍ମୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।
ଏହି କାରଣରୁ ଭିଡିଓଟି ଲକ୍ଷ ଲକ୍ଷ ଲୋକଙ୍କୁ ଆକର୍ଷିତ କରୁଛି। ଅନେକ ୟୁଜର୍ସ କହିଛନ୍ତି ଯେ, ଯିଏ ନିଜ ରକ୍ତଝାଳ ବୁହା ଧନରେ କୌଣସି ବଡ଼ ଜିନିଷ କିଣିଥାଏ, ସେ ହିଁ ଏହାର ପ୍ରକୃତ ମୂଲ୍ୟ ବୁଝିପାରିବ। ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରି ନିଜର ପ୍ରଥମ କାର୍ କିଣିଥିବା ବ୍ୟକ୍ତି ପାଇଁ ତାହାକୁ ନିଜ ଆଖି ଆଗରେ ବୁଡ଼ିଯାଉଥିବାର ଦେଖିବା ସହଜ ନୁହେଁ। ତେଣୁ ସେହି ସ୍ଥିତିରେ ବ୍ୟକ୍ତି ଜଣକ ନିଜ କାର୍ ସହ ପାଣିରେ ଠିଆ ହୋଇ ରହିବା ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ବୋଲି ସୋସିଆଲ ମିଡିଆରେ ଲୋକେ କମେଣ୍ଟ ଦେଉଛନ୍ତି।
ଦେଖନ୍ତୁ ଭିଡିଓ…