ୟୁପି ନିର୍ବାଚନ ୨୦୨୭: ଓଓ୍ବାଇସିଙ୍କ ସହ ହାତ ମିଳାଇଲେ ଚନ୍ଦ୍ରଶେଖର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଲକ୍ଷ୍ନୌ,୧୨।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୭ ପୂର୍ବରୁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଦେଖାଦେଇଛି । ଆଜାଦ ସମାଜ ପାର୍ଟି (କାଂଶୀରାମ) ଓ ଅଲ୍‌ ଇଣ୍ଡିଆ ମଜଲିସ୍‌-ଏ-ଇତ୍ତେହାଦୁଲ୍‌ ମୁସଲିମିନ୍‌ (AIMIM) ମଧ୍ୟରେ ମେଣ୍ଟ ହୋଇଛି । ଏହି ମେଣ୍ଟର ନାଁ ‘ସାମାଜିକ ପରିବର୍ତ୍ତନ ମୋର୍ଚ୍ଚା’ ରଖାଯାଇଛି । ଗୁରୁବାର ଚନ୍ଦ୍ରଶେଖର ଆଜାଦ ଓ ଅସଦୁଦ୍ଦିନ ଓଓ୍ବାଇସି ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି।

ଚନ୍ଦ୍ରଶେଖର କହିଛନ୍ତି, ୨୦୨୭ରେ ସାମାଜିକ ପରିବର୍ତ୍ତନ ମୋର୍ଚ୍ଚା ରାଜ୍ୟରେ କ୍ଷମତା ପରିବର୍ତ୍ତନ କରିବ । ଭାଜପାକୁ ହରାଇବା ପାଇଁ ଏକ ବଡ଼ ମେଣ୍ଟ ହେବା ଆବଶ୍ୟକ ଥିଲା। କିନ୍ତୁ କିଛି ଲୋକଙ୍କ ଅହଂକାର ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ । ତେଣୁ ସମାଜବାଦୀ ପାର୍ଟି (SP) ଓ କଂଗ୍ରେସ ମଧ୍ୟ ଏହି ମୋର୍ଚ୍ଚାରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।  ଓଓ୍ବାଇସିଙ୍କ ସହ ମିଶି ମୋର୍ଚ୍ଚା ରାଜ୍ୟର ସମସ୍ତ ୪୦୩ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି।

ମେଣ୍ଟ ଘୋଷଣା ସମୟରେ ଓଓ୍ବାଇସି କହିଛନ୍ତି, ଏହି ମୋର୍ଚ୍ଚାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରହିବେ ଚନ୍ଦ୍ରଶେଖର ଆଜାଦ । ଦବାଯାଇଥିବା ଓ ଅବହେଳିତ ବର୍ଗର ଲୋକଙ୍କୁ କେବଳ ଭୋଟର ଭାବେ ବ୍ୟବହାର କରାଯାଇଛି । ଉତ୍ତରପ୍ରଦେଶର ଯୁବକଙ୍କ ଭାଗ୍ୟରେ ଏହି ସରକାର ବେରୋଜଗାରୀ ଲେଖିଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଆଗାମୀ ୨୬ ନଭେମ୍ବରରେ ମୋର୍ଚ୍ଚାର ଏକ ବୈଠକ ହେବ । ଏହା ସାମାଜିକ ପରିବର୍ତ୍ତନ ଓ ନ୍ୟାୟର ଲଢ଼େଇକୁ ଆଗକୁ ନେବ ବୋଲି ଓୱେସୀ କହିଛନ୍ତି।

ଚନ୍ଦ୍ରଶେଖର କହିଛନ୍ତି, ଏହା କୌଣସି ତୃତୀୟ ମୋର୍ଚ୍ଚା ନୁହେଁ; ବରଂ ସାମାଜିକ ପରିବର୍ତ୍ତନ ପାଇଁ ଏକ ଶକ୍ତିଶାଳୀ ମଞ୍ଚ । ଦଳିତ, ବଞ୍ଚିତ, ଶୋଷିତ ଓ ଅବହେଳିତ ବର୍ଗର ଲୋକ ଏଥିରେ ଯୋଡ଼ି ହେଲେ ଏହା ଆହୁରି ମଜଭୁତ ହେବ । ଗରିବୀ, ଜାତିଗତ ହିଂସା ଓ ଅତ୍ୟାଚାର ଦୂର କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଲୋକମାନେ ପ୍ରତିଶ୍ରୁତି ପାଳନ କରିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସରକାର ବଦଳିଛି, ଘୋଷଣା ହୋଇଛି, କିନ୍ତୁ ବହୁଜନ ସମାଜ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ରହିଛି ବୋଲି ସେ କହିଛନ୍ତି।

ଏହାସହ ରାଜ୍ୟରେ ମସଜିଦ୍‌ ଭଙ୍ଗାଯାଉଥିବା, ବହୁଜନ ମହାପୁରୁଷଙ୍କ ନାଁରେ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳୁନଥିବା ଏବଂ ପ୍ରତିମୂର୍ତ୍ତି ଭଙ୍ଗାଯାଉଥିବା ନେଇ ଚନ୍ଦ୍ରଶେଖର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।

 

Dharitri – Odisha’s No.1 Odia Daily

Share