ଓଲଟିଲା ବସ୍‌, ୨୧ ନିର୍ମାଣ ଶ୍ରମିକ ଗୁରୁତର

ରାଜକନିକା,୧୯ା୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଗଞ୍ଜା ନିକଟରେ ଗୁରୁବାର ସକାଳେ ‘ଦୟାଲ’ ନାମକ ଏକ ବସ୍‌ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଛି। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ଥିଲେ। ଏମାନଙ୍କ ମଧ୍ୟରୁ ୨୧ ଜଣ ଗୁରୁତର ହୋଇଛନ୍ତି। ୧୮ ଜଣଙ୍କୁ ରାଜକନିକା ସିଏଚ୍‌ସିରେ ଚିକିତ୍ସା କରାଯାଉଥିବା ବେଳେ ୩ ଜଣଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ରାଜକନିକା ବ୍ଲକ ଭାରିଗଦାଠାରେ ଭଦ୍ରକ ଜିଲାର ଏକ ପାନୀୟ ଜଳ ପ୍ରକଳ୍ପ ପାଇଁ ଇନଟେକ୍‌ ଓ୍ବେଲ୍‌ ନିର୍ମାଣ ହେଉଛି। ଏଥିପାଇଁ ଠିକା ସଂସ୍ଥା ମେଘା ଇଞ୍ଜିନିୟରିଂ ପକ୍ଷରୁ ରାଜକନିକାରୁ ଭାରିଗଦା ପର୍ଯ୍ୟନ୍ତ ଏହି ବସରେ ନିର୍ମାଣ ଶ୍ରମିକଙ୍କୁ ନିଆଯାଉଥିଲା। ବସ୍‌ଟି କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଥିଲା।