ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ପିକ୍‌ଅପ: ୪ ଗୁରୁତର ୧୧ ଆହତ

ଚିତ୍ରକୋଣ୍ଡା,୨୪।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ହନ୍ତାଳଗୁଡ଼ା ଘାଟିରେ ଶୁକ୍ରବାର ଏକ ପିକ୍‌ଅପ୍‌ ଓଲଟି ପଡ଼ିଛି। ଏଥିରେ ୪ ଜଣ ଗୁରୁତର ହୋଇଥିବା ବେଳେ ୧୧ ଆହତ ଅଛନ୍ତି। ଯୋଡ଼ାମ୍ବ ଗ୍ରାମର ୧୫ ଜଣ ଏକ ପିକ୍‌ଅପରେ ଲାମ୍ବାସିଙ୍ଗ ଗ୍ରାମକୁ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲା ବେଳେ ହନ୍ତାଳଗୁଡ଼ା ଘାଟିରେ ଗାଡ଼ିଟି ଘାଟିରୁ ତଳକୁ ଓଲଟି ପଡ଼ିଥିଲା। ଖବରପାଇ ସ୍ଥାନୀୟ ଲୋକେ, ପୋଲିସ୍‌ ଏବଂ ସୁରକ୍ଷାକର୍ମୀ ଡ୍ରାଇଭରଙ୍କ ସମେତ ୧୫ ଜଣଙ୍କୁ ଉଦ୍ଧାର କରି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ୪ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।