ଭୁବନେଶ୍ୱର,୧୭।୨: କିଟ୍ କ୍ୟାମ୍ପସରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ୫୦୦ରୁ ଅଧିକ ନେପାଳୀ ଛାତ୍ରୀଛାତ୍ରଙ୍କୁ ଘରକୁ ପଠାଇ ଦିଆଯାଇଛି। ଏହି ଛାତ୍ରୀଛାତ୍ରଙ୍କୁ ଜୋର୍ ଜବରଦସ୍ତ କଟକ ରେଲଓ୍ବେ ଷ୍ଟେଶନରେ ଛାଡି ଦିଆଯାଇଥିବା ଅଭିଯୋଗ ହୋଇଛି।
ନେପାଳର ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାଇନ-ଏ- ଡାଏ ଘୋଷଣା କରାଯାଇଛି। KIIT ଦ୍ୱାରା ଜାରି ଏକ ନୋଟିସରେ କୁହାଯାଇଛି, “ନେପାଳ ଛାତ୍ରୀଛାତ୍ରଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଅର୍ନିଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି। ସେମାନଙ୍କୁ ଫେବୃଆରୀ ୧୭ ଅର୍ଥାତ ଆଜି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଇନ-ଏ- ଡାଏ ଘୋଷଣା ପରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଭିଡିଓରେ କିଛି ମହିଳା ଅଧିକାରୀ ଛାତ୍ରୀଛାତ୍ରଙ୍କୁ କ୍ୟାମ୍ପସ ଛାଡ଼ି ଚାଲିଯିବାକୁ କହୁଛନ୍ତି।
ଛାତ୍ରୀଛାତ୍ରଙ୍କୁ ଜୋର୍ ଜବରଦସ୍ତ କଟକ ରେଲଓ୍ବେ ଷ୍ଟେଶନରେ ଛଡ଼ାଯାଇଛି। ଏପରକି ସୁରକ୍ଷାକର୍ମୀମାନେ ନେପାଳୀ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ଛାତ୍ରୀଛାତ୍ର ରାସ୍ତା ଅବରୋଧ କରି କହିଛନ୍ତି, ଆମେ ନ୍ୟାୟ ଚାହୁଁଛୁ। ଏହା ସହ ତଦନ୍ତରେ ସ୍ବଚ୍ଛତା ଦାବି କରିଛନ୍ତି। କର୍ତ୍ତୃପକ୍ଷ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଏକ ଭିଡିଓ କ୍ଲିପରେ ଜଣେ ଛାତ୍ର କହୁଥିବା ଶୁଣିବାକୁ ମିଳିଛି।
ସୂଚନାଯୋଗ୍ୟ, ଜଣେ ବି.ଟେକ ତୃତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ପୋଲିସ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିଲା। ମୃତ ଯୁବତୀଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପ୍ରେମିକ ତଥା ସେହି ବିଶ୍ୱବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ଛାତ୍ର ଅଟନ୍ତି। ପ୍ରେମିକ ଜଣକ ପୀଡ଼ିତାଙ୍କ ସହ ୩ ବର୍ଷର ପ୍ରେମସମ୍ପର୍କ ରଖିବା ମଧ୍ୟରେ ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।


