ଡରବାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା, ୩୦୦ରୁ ଅଧିକ ମୃତ

ଜୋହାନସବର୍ଗ,୧୫ ।୪: ଦକ୍ଷିଣ ଆଫ୍ରିକାର ଡରବାନ ସହର ଓ ପୂର୍ବ କ୍ୱାଜୁଲୁ-ନେଟଳ ଅଞ୍ଚଳରେ ପ୍ରବଳ ବର୍ଷା ଫଳରେ ବନ୍ୟା ଆସିଛି । ଏହି ବନ୍ୟାରେ ୩୦୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଗାମୀ ଦିନରେ ପ୍ରବଳ ବର୍ଷା ସହ ପବନ ବହିବା ଅନୁମାନ କରିଛି ପାଣିପାଗ ବିଭାଗ । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ । କାରଣ ଏବେବି କେତେକ ପରିବାର ନିଖୋଜ ଅଛନ୍ତି ।
ଲାଗି ରହିଥିବା ବର୍ଷା ଫଳରେ ସ୍ଥିତି ବିଗିଡିବାରେ ଲାଗିଛି । ଛୋଟ ଛୋଟ ଘର ଭାଙ୍ଗିବା ସହ ବଡ ବଡ କୋଠା ବି କ୍ଷତିଗ୍ରସ୍ତ ହୋଇଛି । ଇଥେକ୍ୱିନର ମେୟର ମୌକ୍ୱେଲେସି କୁଣ୍ଡାରେ କହିଛନ୍ତି ଗୁରୁବାର ସୁଦ୍ଧା ପାଖାପାଖି ୫.୨ କୋଟି ଡଲାର କ୍ଷତି ହୋଇଥିବା ଅନୁମାନ କରାଯାଉଛି । ଏଠାରେ ପାଖାପାଖି ୧୨୦ ସ୍କୁଲ ବନ୍ୟା ପାଣିରେ ଧୋଇ ଯାଇଥିବା ସୂଚନା ରହିଛି । ଏଥିରେ ପ୍ରାୟ ୧୮ ଜଣ ଛାତ୍ର ଓ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଧୋଇ ଯାଇଥିବା ସ୍କୁଲ ଗୁଡିକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି ।

Share