Categories: ଜାତୀୟ

ଦ୍ୱିତୀୟ ଡୋଜ୍‌ ନେଇନାହାନ୍ତି ୩.୮୬ କୋଟି

ନୂଆଦିଲ୍ଲୀ,୧୯।୮: ଦେଶରେ ୩.୮୬ କୋଟିରୁ ଊର୍ଦ୍ଧ୍ୱ ଲୋକ କୋଭିଡ୍‌ ଭାକ୍ସିନ ପ୍ରଥମ ଡୋଜ୍‌ ନେବାର ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଦ୍ୱିତୀୟ ଡୋଜ୍‌ ନେଇନାହାନ୍ତି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ କରାଯାଇଥିବା ଏକ ଆବେଦନ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

କୋଓ୍ବିନ୍‌ ପୋର୍ଟାଲ ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନ ସୁଦ୍ଧା ୪୪,୨୨,୮୫,୮୫୪ ଜଣ କୋଭିଡ୍‌ ଭାକ୍ସିନର ପ୍ରଥମ ଡୋଜ୍‌ ଏବଂ ୧୨,୫୯,୦୭,୪୪୩ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। କେତେଜଣ କୋଭାକ୍ସିନ କିମ୍ବା କୋଭିଶିଲ୍ଡ ନେବାର ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଦ୍ୱିତୀୟ ଡୋଜ୍‌ ନେଇପାରି ନାହାନ୍ତି, ତାହା ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ରମଣ ଶର୍ମା ଆର୍‌ଟିଆଇରେ ଆବେଦନ କରିଥିଲେ। କୋଭିଶିଲ୍ଡ ନେବାର ୮୪ରୁ ୧୧୨ ଦିନ ମଧ୍ୟରେ ଏବଂ କୋଭାକ୍ସିନ ନେବାର ୨୮ରୁ ୪୨ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେବା ଲାଗି ସୁପାରିସ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ୍‌-୧୯ ଭାକ୍ସିନ ଆଡମିନିଷ୍ଟ୍ରେଶନ ସେଲ୍‌ ପକ୍ଷରୁ କୁହାଯାଇଥିଲା। ତେବେ କୋଭିଶିଲ୍ଡ ନେଇଥିବା ୩,୪୦,୭୨,୯୯୩ ଜଣ ଏବଂ କୋଭାକ୍ସିନ ନେଇଥିବା ୪୬,୭୮,୪୦୬ ଜଣ ହିତାଧିକାରୀ ଧାର୍ଯ୍ୟ ବ୍ୟବଧାନ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେଇପାରିନାହାନ୍ତି।

Share