ୟୁକ୍ରେନ୍‌ ଛାଡ଼ିଲେଣି ୨୦ ଲକ୍ଷ

କ୍ୱିଭ୍‌, ୯ା୩: ଯୁଦ୍ଧର ୧୩ତମ ଦିନରେ ଅସ୍ତ୍ରବିରତି ଘୋଷଣା କରାଯାଇ କ୍ୱିଭ୍‌ ନିକଟ ଇରପିନ୍‌ ଏବଂ ଉତ୍ତର ସହର ସୁମିରୁ ସାଧାରଣ ନାଗରିକଙ୍କୁ ହ୍ୟୁମାନ କରିଡର ଦ୍ୱାରା ବାହାର କରାଯିବା ନିମନ୍ତେ ବ୍ୟବସ୍ଥା ହୋଇଛି। ରୁଷିଆର ଆକ୍ରମଣ ପରଠାରୁ ଏ ପର୍ଯ୍ୟନ୍ତ ପ୍ରାୟ ୨୦ ଲକ୍ଷ ଲୋକ ୟୁକ୍ରେନ୍‌ ଛାଡ଼ି ପଳାୟନ କରିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି।
ଉପରେ ଆକ୍ରମଣକୁ ରୁଷିଆ ସ୍ବତନ୍ତ୍ର ମିଲିଟାରୀ ଅପରେଶନ କହୁଥିବାବେଳେ ଏଥିରେ ପ୍ରାୟ ୨୫ଶହ ସେନା ଟାର୍ଗେଟକୁ ନଷ୍ଟ କରାଯାଇଥିବା ମସ୍କୋ ପକ୍ଷରୁ କୁହାଯାଇଛି। ଝିଟୋମିରଠାରେ ଥିବା ୟୁକ୍ରେନ୍‌ର ଓଜେର୍ନେ ଏୟାରବେସ୍‌କୁ ମଧ୍ୟ ଧ୍ୱଂସ କରାଯାଇଥିବା କ୍ରେମଲିନ୍‌ ଦାବି କରିଛି।
ଏୟାରଷ୍ଟ୍ରାଇକ୍‌ରେ ମଙ୍ଗଳବାର ସୁମିରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ମସ୍କୋ କ୍ରମାଗତ ଜନବସତି ଅଞ୍ଚଳରେ ଆକ୍ରମଣ କରୁଥିବା ୟୁକ୍ରେନ୍‌ ଅଭିଯୋଗ ଆଣିଛି।
ପ୍ରାୟ ୧୨ ହଜାର ରୁଷୀୟ ସୈନ୍ୟ ନିହତ ହୋଇଥିବା କ୍ୱିଭ୍‌ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିବା ଅନୁସାରେ, ରୁଷିଆର ବିଭିନ୍ନ ପ୍ରକାରର ୧୦୩୬ ଯୁଦ୍ଧବାହନ, ୪୮ ଏୟାର କ୍ରାଫ୍ଟ, ୮୦ ହେଲିକପ୍ଟର, ୩୦୩ ଟ୍ୟାଙ୍କ, ୧୨୦ ଆର୍ଟିଲାରି ଅସ୍ତ୍ର, ୫୬ ଏମ୍‌ଆର୍‌ଏଲ୍‌କୁ ନଷ୍ଟ କରାଯାଇଛି।
ପୋଲାଣ୍ଡ ୟୁକ୍ରେନ୍‌କୁ ଯୁଦ୍ଧବିମାନ ପଠାଇଲେ ବ୍ରିଟେନ ତାହାକୁ ସମର୍ଥନ କରିବ ବୋଲି କହିଛି।
ଦେଶରୁ ପ୍ରାୟ ୨୦ ହଜାର ସ୍ବେଚ୍ଛାସେବୀ ୟୁକ୍ରେନ୍‌ ପାଇଁ ରୁଷିଆ ସହ ଲଢ଼େଇ କରିବାକୁ ଅସ୍ତ୍ର ଉଠାଇଛନ୍ତି।
ରୁଷୀୟ ସୈନ୍ୟ ପ୍ରାୟ ୩ ଲକ୍ଷ ସାଧାରଣ ନାଗରିକଙ୍କୁ ବନ୍ଧକ ରଖିଥିବା ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ ଆସିଛି।
ଆମେରିକୀୟ ଅଭିନେତା ଲିଓନାର୍ଡୋ ଡିକାପ୍ରିଓ ୟୁକ୍ରେନ୍‌କୁ ୧୦ ମିଲିୟନ ଡଲାର ପ୍ରଦାନ କରିଛନ୍ତି। ଅଭିନେତା ଜଣଙ୍କ ପିଲାଦିନେ କିଛି ସମୟ ୟୁକ୍ରେନ୍‌ରେ ବିତାଇଥିବାରୁ ଏହି ଦେଶ ସହ ତାଙ୍କ ଭାବାବେଗ ଜଡ଼ିତ ଥିବା କହିଛନ୍ତି।
ପେମେଣ୍ଟ ସିଷ୍ଟମ ଜେସିବି ଏହାର ସେବାକୁ ରୁଷିଆରେ ବନ୍ଦ କରିଛି। ଏଥିସହ ରୁଷିଆକୁ ତୈଳ ରିଫାଇନ ନିମନ୍ତେ ସାମଗ୍ରୀ ଯୋଗାଣ ବନ୍ଦ ନିମନ୍ତେ ଜାପାନ ଘୋଷଣା କରିଛି।

Share