Categories: ଜାତୀୟ

୧୫୦ରୁ ଅଧିକ ପିଏଫ୍‌ଆଇ-ଏସଡିପିଆଇ ସଦସ୍ୟ ଅଟକ …

ନୂଆଦିଲ୍ଲୀ, ୨୭।୯ : ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନଆଇଏ)ଙ୍କ ନିର୍ଦ୍ଦେଶରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଏବଂ ଏସଡିପିଆଇର ଅନେକ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଯାଇଛି। ଆଠଟି ରାଜ୍ୟରେ ଚଢ଼ାଉ ସମୟରେ ୧୫୦ ରୁ ଅଧିକପିଏଫ୍‌ଆଇ-ଏସଡିପିଆଇ ସଦସ୍ୟଙ୍କୁ ଅଟକ ରଖାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ନାଟକ, ଆସାମ, ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶରରେ ଚଢ଼ାଉ ଜାରି ରହିଛି। ଏଥି ସହ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବିବୃତ୍ତି ଏନେଇ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଆମେ ପିଏଫଆଇ ବିରୋଧରେ ସନ୍ଦେହଜନକ ସୂଚନା ପାଇଛୁ। ଯାହା ଉପରେ ଆଧାର କରି ଏହି ଚଢ଼ାଉ କରାଯାଇଛି। କିଛି ଲୋକଙ୍କୁ ଗିରଫ କରାଯାଇଛି।

କର୍ନାଟକର ୭୫ ରୁ ଅଧିକ ପିଏଫ୍‌ଆଇ-ଏସଡିପିଆଇ ସଦସ୍ୟଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ବିରୋଧରେ ସିଆରପିସି ଧାରା ୧୦୮,୧୫୧ ଅନ୍ତର୍ଗତ ମାମଲା ରୁଜୁ ହୋଇଛି। ସେହିପରି ଆସାମରୁ ୨୫ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି। ଉତ୍ତରପ୍ରଦେଶର ୧୨ରୁ ଅଧିକଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି। ଦିଲ୍ଲୀରେ ୩୦ ରୁ ଅଧିକ ଅଟକ ରହିଛନ୍ତି। ଦିଲ୍ଲୀର ନିଜାମୁଦ୍ଦିନ, ଶାହିନ ବାଗ ସମେତ ବିଭିନ୍ନ ସ୍ଥାନରେ ପିଏଫଆଇ ସହ ସମ୍ପୃକ୍ତ ସ୍ଥାନରେ କେନ୍ଦ୍ରୀୟ ଏଜେନ୍ସି ଏବଂ ଦିଲ୍ଲୀ ପୋଲିସ ଦ୍ୱାରା ମିଳିତ ଚଢ଼ାଉ ଚାଲିଛି। ମହାରାଷ୍ଟ୍ର ପୋଲିସର ସୂଚନାନୁସାରେ, ପିଏଫ୍‌ଆଇ ସହ ଜଡିତ ପ୍ରାୟ ୪୦ ଜଣଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଔରଙ୍ଗାବାଦ, ସୋଲାପୁର, ଅମରାବତୀ, ପୁଣେ, ଥାଣେ ଏବଂ ମୁମ୍ବାଇରୁ ଗିରଫ କରାଯାଇଛି। ମଧ୍ୟପ୍ରଦେଶର ଭୋପାଳ, ଉଜ୍ଜୟନୀ, ଇନ୍ଦୋର ସମେତ ଆଠଟି ଜିଲାରେ ଚଢ଼ାଉ କରାଯାଇ ୨୨ ଜଣଙ୍କୁ ଅଟକ ରଖାଯାଇଛି। ସେହିପରି ଗୁଜୁରାଟରୁ ୧୦ ଜଣଙ୍କୁ ଅଟକ ରଖାଯାଇଛି।

Share