Categories: ଖେଳ

ଓଭାଲ ଟେଷ୍ଟ: ପଛରେ ନାହିଁ ଭାରତ

ଓଭାଲ,୨।୯: ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନର ଖେଳ ରୋମାଞ୍ଚକ ମୋଡ଼ରେ ଶେଷ ହୋଇଛି। ମେଘୁଆ ପାଗ ଦେଖି ଘରୋଇ ଦଳର ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ତାଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ କରି ଦେଖାଇଥିଲେ ଘରୋଇ ବୋଲର। ଭାରତୀୟ ଅଧିନାୟକ ବିରାଟ କୋହଲି(୫୦) ପୁଣି ଥରେ ଭଲ ଆରମ୍ଭ ପାଇଥିଲେ ମଧ୍ୟ ବଡ଼ ସ୍କୋର କରିପାରି ନ ଥିଲେ। ଶେଷ ଆଡ଼କୁ ଶାର୍ଦ୍ଦୁଳ ଠାକୁର ଖେଳିଥିଲେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ। ୩୬ ବଲରେ ୭ ଚୌକା ଓ ୩ ଛକା ସହାୟତାରେ ୫୭ ରନ୍‌ କରିଥିଲେ। ତାଙ୍କ ପାଳି ଯୋଗୁ ଭାରତ ୧୯୧ ରନ୍‌ରେ ପହଞ୍ଚିପାରି ଥିଲା।

ଏହାପରେ ବ୍ୟାଟିଂ କରିଥିଲା ଇଂଲଣ୍ଡ। ଦୁଇ ଓପନରଙ୍କୁ ଗୋଟିଏ ଓଭରରେ ଦୁଇ ଓପନରଙ୍କୁ ଆଉଟ୍‌ କରି ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ ଯଶପ୍ରୀତ ବୁମରା। କିନ୍ତୁ ଟିମ୍‌ ଇଣ୍ଡିଆ ପାଇଁ ଉମେଶ ଯାଦବ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉଇକେଟ ଆଣି ଦେଇଥିଲେ। କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଥିବା ରୁଟ୍‌ (୨୧)ଙ୍କୁ କ୍ଲିନ ବୋଲ୍ଡ କରି ବିଦା କରିଥିଲେ ଉମେଶ। ଫଳରେ ପ୍ରଥମ ଦିନ ଶେଷ ସୁଦ୍ଧା ଇଂଲଣ୍ଡ ୩ ଉଇକେଟ ହରାଇ ୫୩ ରନ୍‌ କରିଛି। ଦଳକୁ ଇନିଂସ ଅଗ୍ରଣୀ ପାଇଁ ବଳକା ୭ ଉଇକେଟରେ ୧୩୮ ରନ୍‌ ଦରକାର।

Share