ଟାର୍ଗେଟ୍‌ରେ ବାହାର ରାଜ୍ୟ ଟ୍ରକ୍‌

ଅନୁଗୋଳ ଅଫିସ,୯ା୧୦

କୋଭିଡ୍‌ ସ୍ଥିତି ସୁଧୁରୁଥିବାରୁ ଜୋର୍‌ ଧରିଲାଣି ବ୍ୟବସାୟ। ଦୀର୍ଘଦିନ ଧରି ବନ୍ଦ ପଡ଼ିଥିବା ବିଭିନ୍ନ କାରଖାନାରୁ ଆରମ୍ଭ ହେଲାଣି ଉତ୍ପାଦନ। ଫଳରେ ଶିଳ୍ପବହୁଳ ଅନୁଗୋଳ ଜିଲାକୁ ଦୈନିକ ଆତଯାତ କରୁଛି ରାଜ୍ୟ ବାହାରର ସହସ୍ରାଧିକ ଟ୍ରକ୍‌। ଆଉ ରାତି ହେଲେ ଏସବୁ ଟ୍ରକ୍‌କୁ ଟାର୍ଗେଟ୍‌ କରୁଛନ୍ତି ରାଜପଥ ଲୁଟେରା। ଜିଲା ଦେଇ ଯାଇଥିବା ରାଜପଥଗୁଡ଼ିକର ବିଭିନ୍ନ ସ୍ଥାନରେ ଜଗିରହି ଚାଳକଙ୍କୁ ବନ୍ଧୁକ ଦେଖାଇ କରୁଛନ୍ତି ଲୁଟ୍‌। ରାଜପଥରେ ପୋଲିସ ପକ୍ଷରୁ ଠିକ୍‌ ଭାବେ ପାଟ୍ରୋଲିଂ କରାଯାଉ ନ ଥିବାରୁ ଏପରି ଆପରାଧିକ କାର୍ଯ୍ୟ ବଢ଼ିଚାଲିଥିବା ଜିଲାବାସୀ ଅଭିଯୋଗ କରୁଛନ୍ତି।
ଅନୁଗୋଳ ଜିଲା ଦେଇ କଟକରୁ ୫୫ ନଂ. ଜାତୀୟ ରାଜପଥ ସମ୍ବଲପୁରକୁ ସଂଯୋଗ କରୁଛି। ସେହିପରି ବଅଁରପାଳରୁ ୧୫୩ ନଂ. ରାଜପଥ ଦେବଗଡ଼ ଜିଲାକୁ ଲମ୍ବିଛି। ମୁଖ୍ୟତଃ ରାତିରେ ହିଁ ମାଲ ପରିବହନକୁ ଗୁରୁତ୍ୱ ଦିଆଯାଉଥିବାରୁ ଅଧିକ ସଂଖ୍ୟକ ଟ୍ରକ୍‌ ରାଜପଥରେ ଗଡ଼ୁଛି। ତେଣୁ ଏହାକୁ ସୁଯୋଗ ଭାବେ ନେଇ ଲୁଟେରାମାନେ ଟ୍ରକ୍‌ ଚାଳକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଗତ ମଙ୍ଗଳବାର ଭୋର ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଚାଳକଙ୍କ ଠାରୁ ଟଙ୍କା ଲୁଟ୍‌ ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଦୈନିକ ଏକାଧିକ ଟ୍ରକ୍‌ ଚାଳକ ଏପରି ଲୁଟ୍‌ର ଶିକାର ହେଉଥିଲେ ମଧ୍ୟ ପୋଲିସ ଉପରେ ସେମାନେ ସମ୍ପୂର୍ଣ୍ଣ ଭରସା କରିପାରୁ ନାହାନ୍ତି। ଗତ ବୁଧବାର ରାତିରେ ପାଟ୍ରୋଲିଂ ଦାୟିତ୍ୱରେ ଥିବା କେତେଜଣ ପୋଲିସ କର୍ମଚାରୀ ଦୁଇ ଯୁବକଙ୍କୁ ମାଡ଼ ମାରି ୨୮ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ତେଣୁ ଲୁଟ୍‌ ପରେ ମଧ୍ୟ ଟ୍ରକ୍‌ ଚାଳକମାନେ ବାଧ୍ୟ ହୋଇ ଚୁପ୍‌ ରହୁଛନ୍ତି। ସେହିପରି ଏସବୁ ରାଜପଥ ସହ ମହୀଧରପୁର-ବଡ଼କେରା ଦେଇ ଯାଇଥିବା ରାସ୍ତାରେ ରାତିରେ ଲୁଟ୍‌ପାଟ ବଢ଼ିଚାଲିଛି। ବାଇକ୍‌ ଓ କାର୍‌ ଚାଳକ ବାଦ୍‌ ପଡ଼ୁ ନ ଥିବାରୁ ବିଳମ୍ବିତ ରାତିରେ ଯାତ୍ରୀମାନେ ଯାତାୟାତକୁ ଭୟ କଲେଣି। ଏ ନେଇ ଅନୁଗୋଳ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜପଥ ଉପରେ ପୋଲିସ କଡ଼ା ନଜର ରଖିଛି। କେତେଜଣ ଲୁଟେରାଙ୍କୁ ଗିରଫ କରାଯାଇଛି। ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ।
ପାଟ୍ରୋଲିଂରେ ସୁଧାର ଲୋଡ଼ା
ରାତିରେ ପାଟ୍ରୋଲିଂ ଗାଡ଼ି ଦେଖିବାକୁ ମିଳୁନି। ଫଳରେ ନାନା ଆଶଙ୍କା ମଧ୍ୟରେ ଯାତ୍ରୀ ନେଇ ଯାତାୟାତ କରୁଛୁ। ହୁଗୁଳା ପୋଲିସ ବ୍ୟବସ୍ଥାରେ ସରକାର ସୁଧାର ଆଣିବା ଦରକାର। ନଚେତ ସମସ୍ୟା ବଢ଼ିବ।
-ସନ୍ତୋଷ ସାହୁ, ସମ୍ପାଦକ, ଡ୍ରାଇଭର ସଂଘ, ପାଲଲହଡ଼ା

ଜୀବନ ପ୍ରତି ବିପଦ ରହୁଛି
ବିଳମ୍ବିତ ରାତିରେ ବନ୍ଧୁକ, ଭୁଜାଲି ଦେଖାଉଛନ୍ତି। ଟଙ୍କା ନ ଦେଲେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଫଳରେ ରାତିରେ ଯାତାୟାତ ବେଳେ ଜୀବନ ପ୍ରତି ବିପଦ ଆଶଙ୍କା ରହୁଛି।
-ଭାବଗ୍ରାହୀ ପୁଢ, ସଭାପତି, ଆଞ୍ଚଳିକ ଡ୍ରାଇଭର ସଂଘ

ନାମକୁ ମାତ୍ର ସୁରକ୍ଷା
ରାଜପଥରେ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ପୋଲିସ ହିଁ ରାତିରେ ସୁରକ୍ଷା ଦେଇପାରିବ। ହେଲେ ଅନୁଗୋଳ ଜିଲାର ରାଜପଥଗୁଡ଼ିକରେ ପାଟ୍ରୋଲିଂ କେବଳ ନାମକୁ ମାତ୍ର। ସେଥିପାଇଁ ରାତିରେ ଯାତାୟାତ ଏଠାରେ ଅସୁରକ୍ଷିତ।
-ଅଶୋକ କୁମାର ସାହୁ, ବୁଦ୍ଧିଜୀବୀ