ଆମ ଭାରତୀୟ ରେଳପଥ

ସୌଭାଗ୍ୟ ସୁନ୍ଦରରାୟ

 

ଓଡ଼ିଶାରେ ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ ପୂରିବା ବେଳକୁ ପଶ୍ଚିମବଙ୍ଗରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ଦୁର୍ଘଟଣାରେ ଗତ ୧୭ ତାରିଖ ସକାଳେ ୯ଜଣ ଯାତ୍ରୀ ପ୍ରାଣ ହରାଇବା ସହ ଅନେକେ ଆହତ ହୋଇଛନ୍ତି। ୨୦୨୩ ଜୁନ୍‌ ୩ରେ ବାଲେଶ୍ୱର ଜିଲା ବାହାନଗାଠାରେ କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାରେ ୩୦୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାରେ ସମଗ୍ର ବିଶ୍ୱ ଚକିତ ହୋଇଯାଇଥିଲା। ଦେଶ ବିଦେଶରୁ ସମବେଦନାର ବାର୍ତ୍ତା ଆସି ପହଞ୍ଚିଥିଲା। ୧୯୯୫ ପରେ ଏହା ଥିଲା ବଡ଼ ଦୁର୍ଘଟଣା। ଫିରୋଜାବାଦଠାରେ ୧୯୯୫ ରେ ବିଳମ୍ବିତ ରାତ୍ରିରେ କାଳିନ୍ଦୀ ଏକ୍ସପ୍ରେସ୍‌ ଓ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ମଧ୍ୟରେ ଧକ୍କାହୋଇ ୩୫୮ ଯାତ୍ରୀ ପ୍ରାଣ ହରାଇଥିବା ସରକାରୀ ସୂତ୍ରରୁ ଜଣାଯାଏ। ବାହାନଗାର ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ପରେ ଦେଶର ବିଭିନ୍ନ ଭାଗରେ ରେଳ ଦୁର୍ଘଟଣା ଘଟି ଚାଲିଛି। ୨୦୨୪ ମାର୍ଚ୍ଚ ୩ରେ ହାଓଡା-ଚେନ୍ନାଇ ରେଳମାର୍ଗରେ ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ବିଶାଖାପାଟଣା-ପଲାସା ଟ୍ରେନ୍‌କୁ ପଛପଟୁ ଧକ୍କାଦେବା ଫଳରେ ୧୪ ଯାତ୍ରୀଙ୍କର ପ୍ରାଣହାନି ଘଟିଥିଲା। ଗତ ଏପ୍ରିଲ ୨୯ରେ କେନ୍ଦ୍ର ରେଳପଥର ସିଏସ୍‌ଏମ୍‌ଟି ଷ୍ଟେଶନରେ ଏକ ସ୍ଥାନୀୟ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା। ୨୦୨୪ ମାର୍ଚ୍ଚ ୧୮ରେ ସାବରମତୀ ଏକ୍ସପ୍ରେସ୍‌ ଆଜ୍‌ମେର ନିକଟରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କାଦେଇଥିଲା। ଫଳରେ ୪ଟି କୋଚ୍‌ ଲାଇନଚ୍ୟୁତ ହୋଇଥିଲା ଓ ଏହି ରାସ୍ତାରେ ରେଳସେବା ବାଧାପ୍ରାପ୍ତ ହୋଇଥିଲା। ବହୁ ସମୟରେ ଇଞ୍ଜିନରୁ ବଗି ବିଚ୍ଛିନ୍ନହୋଇ ଦୀର୍ଘ ପଥ ଗଡ଼ି ଚାଲୁଥିବା ଦେଖାଯାଉଛି। ୨୦୨୩ ଜୁନ୍‌ ୫ରେ ସମ୍ବଲପୁର ନିକଟରେ ଏକ ମାଲବାହୀ ଗାଡ଼ିର ୧୦ଟି ବଗି ଇଞ୍ଜିନରୁ ବିଚ୍ଛିନ୍ନ ହୋଇ ଦୀର୍ଘ ପଥ ରେଳଧାରଣା ଉପରେ ଗଡ଼ିଥିଲା। ଉପରୋକ୍ତ ଘଟଣାଗୁଡ଼ିକୁ ଦେଖିଲେ ଭାରତୀୟ ରେଳପଥରେ ସୁରକ୍ଷା ବ୍ୟବସ୍ଥାରେ ସେଭଳି ସୁଧାର ଆସିପାରୁ ନ ଥିବା ମନେହୁଏ। କିଛି ଦୁର୍ଘଟଣା ମନୁଷ୍ୟକୃତ ହୋଇଥିବାବେଳେ ବୈଷୟିକ ତ୍ରୁଟିଜନିତ ଦୁର୍ଘଟଣା ସଂଖ୍ୟା ଅଧିକ ଥିବା ଜଣାପଡ଼ୁଛି। ଅମୃତ ଭାରତ ରେଳ ଷ୍ଟେଶନ ରୂପାନ୍ତରୀକରଣ ଓ ବନ୍ଦେ ଭାରତ ରେଳ ଚଳାଚଳ ନିମନ୍ତେ ରେଳପଥ ସମ୍ପ୍ରତି ସମସ୍ତ ସମୟ ଓ ସମ୍ବଳ ବିନିଯୋଗକରି ରେଳ ଓ ଯାତ୍ରୀ ସୁରକ୍ଷାକୁ ସମ୍ପୂର୍ଣ୍ଣ ଅଣଦେଖା କରିଦେଇଛି।
ଭାରତୀୟ ରେଳପଥ ବିଶ୍ୱର ୩ୟ ବୃହତମ ଯାତ୍ରୀ ଓ ମାଲ ପରିବହନକାରୀ ବ୍ୟବସ୍ଥା। ବାର୍ଷିକ ଏହା ପ୍ରାୟ ୮୦ କୋଟି ଯାତ୍ରୀ ପରିବହନ କରିଥାଏ। ପ୍ରାୟ ୧ ଲକ୍ଷ ୧୪ ହଜାର କି.ମି. ରେଳଧାରଣାରେ ଦୈନିକ ପ୍ରାୟ ୨୦ହଜାର ରେଳ ଚଳାଚଳ କରିଥାଏ। କିନ୍ତୁ ରେଳମାର୍ଗର ରକ୍ଷଣାବେକ୍ଷଣ ଓ ନବୀକରଣ କାର୍ଯ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଥିବା ବିଷୟ ବାହାନଗା ରେଳ ଦୁର୍ଘଟଣାରୁ ସ୍ପଷ୍ଟ ହେଉଛି। ରେଳ ବଜେଟ ବୃଦ୍ଧି ପାଉଛି। କିନ୍ତୁ ବଜେଟର ଅଧିକାଂଶ ଭାଗ ନୂତନ ରେଳଲାଇନ ବିଛାଇବା, ବିଦ୍ୟୁତୀକରଣ, ଷ୍ଟେଶନ ନବୀକରଣ ଆଦି କାର୍ଯ୍ୟରେ ବିନିଯୋଗ ହେଉଥିବା ଜଣାପଡ଼ିଛି। ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ପରିମାଣର ପୁରୁଣା ରେଳଧାରଣା ପରିବର୍ତ୍ତନ ଓ ନବୀକରଣ ପାଇଁ ନିୟମ ରହିଥିଲେ ମଧ୍ୟ ତାହା କଡ଼ାକଡ଼ି ପାଳନ କରାଯାଉ ନାହିଁ। ରେଳଧାରଣା ସହ ସିଗ୍‌ନାଲିଂ ଓ ଅନ୍ୟାନ୍ୟ ସୁରକ୍ଷା ଦିଗ ପ୍ରତି ସେତେଟା ଦୃଷ୍ଟି ଦିଆଯାଉ ନାହିଁ।
ଭାରତରେ ଯେତେ ରେଳ ଦୁର୍ଘଟଣା ଘଟିଛି ସେଥିମଧ୍ୟରୁ ଅଧିକାଂଶ ପ୍ରଯୁକ୍ତିଗତ ବୋଲି ଜଣାପଡ଼ିଛି। ରେଳ ସୁରକ୍ଷାରେ ଟ୍ରାକ୍‌, ସିଗ୍‌ନାଲ ଓ ଟେଲି ଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ। ଏଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ନ ଦେଇ ଦୀର୍ଘଦିନ ହେଲା ନୂଆ ଟ୍ରାକ୍‌ ବିଛାଇବା ଓ ନୂଆ ରେଳଗାଡ଼ି ଚଳାଇବା ପାଇଁ ଦୃଷ୍ଟି ଦିଆଗଲା। ରେଳର ବେଗ ନିୟନ୍ତ୍ରଣ କରିବା ନିମନ୍ତେ ଟ୍ରେନ୍‌ କୋଲିଜନ ଆଭଏଡାନ୍ସ ସିଷ୍ଟମ (ଟିସିଏଏସ୍‌) ରହିଛି। ଏହାକୁ କବଚ କୁହାଯାଉଛି। ଏହି ବ୍ୟବସ୍ଥା ଅଦ୍ୟାବଧି ଦେଶର ମାତ୍ର ୧୪୪୫ କି.ମି. ରେଳପଥରେ ରହିଥିବାବେଳେ ୧ ଲକ୍ଷ ୧୨ ହଜାର କି.ମି. ରେଳପଥ ମୁକୁଳା ପଡ଼ିଛି। କବଚ ସହ ସଂଶ୍ଲିଷ୍ଟ ଏଚ୍‌ବିଏଲ୍‌ ପାୱାର ସିଷ୍ଟମର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ଏ.ଜେ.ପ୍ରସାଦଙ୍କ କହିବାନୁଯାୟୀ ଯଦି ତ୍ୱରାନ୍ବିତ ବେଗରେ କାର୍ଯ୍ୟ ହୁଏ ତେବେ ସମସ୍ତ ରେଳମାର୍ଗରେ କବଚ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପାଇଁ ଅନ୍ତତଃ ୧୫ ବର୍ଷ ଲାଗିବ। କେଉଁଠି ଟ୍ରେନ୍‌ ବଗିରୁ ଧୂଆଁ ବାହାରିବାର ଖବର ଆସିଲାଣି ତ କେଉଁଠି ଗୋଟିଏ ଟ୍ରାକ୍‌ରେ ୨ଟି ଟ୍ରେନ୍‌ ଆସିବା ଦେଖାଗଲାଣି।
ରେଳପଥର ଯାତ୍ରୀ ସେବା ଓ ସୁରକ୍ଷା ବ୍ୟବସ୍ଥା ମଧ୍ୟ ନିମ୍ନଗାମୀ ହେବାରେ ଲାଗିଛି। ଆବଶ୍ୟକ ସଂଖ୍ୟକ ସିଟ୍‌ ନ ଥାଇ ରେଳପଥ ଗତ କିଛି ବର୍ଷ ହେଲା ମନମୁଖି ଭାବେ ୱେଟିଂ ଲିଷ୍ଟ ଟିକେଟଧାରୀଙ୍କ ସଂଖ୍ୟା ବୃଦ୍ଧି କରିଚାଲିଛି। ଏହା ରେଳପଥର ଲାଭଖୋର ମନୋଭାବ। ଏପରି କରାଯିବା ଦ୍ୱାରା ବଗି ମଧ୍ୟରେ କନ୍‌ଫର୍ମ ଟିକେଟ ଥିବା ଯାତ୍ରୀ ଗୁରୁତର ଅସୁବିଧା ମଧ୍ୟରେ ଯାତ୍ରା କରୁଛନ୍ତି। ୱେଟିଂ ଲିଷ୍ଟ ଟିକେଟଧାରୀଙ୍କ ଦ୍ୱାରା କୋଚ୍‌ ଭର୍ତ୍ତି ହୋଇଯାଉଛି। ଶୌଚାଳୟ ଯିବା ନିମନ୍ତେ ମଧ୍ୟ ବାଟ ମିଳୁନାହିଁ। ଭିଡ଼ କାରଣରୁ ଗତ ଏପ୍ରିଲ ୨୭ ତାରିଖରେ ମୁମ୍ବାଇ ସହରତଳି ଅଞ୍ଚଳ ଟ୍ରେନ୍‌ରୁ ମୁମ୍ବ୍ରା-ଡମଭିଲ ମଧ୍ୟରେ ୩ ଜଣ ଯାତ୍ରୀ ପଡ଼ିଯାଇ ଆହତ ହୋଇଥିଲେ। ଦିଲ୍ଲୀ- ସରାଇ ରୋହିଲା ସୁପରଫାଷ୍ଟ ଏକ୍ସପ୍ରେସ୍‌ର ପ୍ରଥମ ଶ୍ରେଣୀ ବାତାନୁକୂଳ ବଗିରେ ଶୌଚାଳୟ ଅବରୋଧକରି କେତେଜଣ ଯାତ୍ରୀ ବସି ରହିଥିବା ଗତ ମେ’ ୨ରେ ଦେଖାଯାଇଥିଲା। ବଗିର କନ୍‌ଫର୍ମ ଟିକେଟଧାରୀ ଯାତ୍ରୀ ଟିଟିଇଙ୍କୁ ଏ ବିଷୟରେ କହିବାରୁ କୌଣସି ସହାୟତା ମିଳିପାରି ନ ଥିଲା। ପରେ କେତେଜଣ ଯାତ୍ରୀ ଏହି ଘଟଣାର ଫଟୋ ସାମାଜିକ ଗଣମାଧ୍ୟମରେ ରେଳମନ୍ତ୍ରୀଙ୍କୁ ଟ୍ୟାଗ୍‌କରି ‘ଏକ୍ସ’ରେ ପୋଷ୍ଟ କରିବା ଫଳରେ ଶୌଚାଳୟ ଅବରୋଧ ଉଠିଥିଲା। ଟ୍ରେନ୍‌ରେ ବହୁ ସମୟରେ ଟିଟିଇଙ୍କର ଦେଖାମିଳୁନାହିଁ। ଫଳରେ ଅଣକନ୍‌ଫର୍ମ ଟିକେଟଧାରୀ ଓ ବିନା ଟିକେଟ ଯାତ୍ରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। କେତେଜଣ ଯାତ୍ରୀ ନିଜ ସୁବିଧା ଅନୁଯାୟୀ ଅନ୍ୟ ଯାତ୍ରୀଙ୍କ ଆସନ ଦଖଲ କରୁଛନ୍ତି। ସେମାନଙ୍କୁ ଉଠିବାକୁ ଅସଲ ଯାତ୍ରୀ କହିଲେ ମଧ୍ୟ ସେମାନେ ତାହା ପାଳନ କରୁନାହାନ୍ତି। ଏଥିରେ ତତ୍କାଳ ସହାୟତା ପାଇଁ ରେଳ କର୍ମଚାରୀ ଉପଲବ୍ଧ ନାହାନ୍ତି।
ଖାଦ୍ୟ ଯୋଗାଣ ଘରୋଇକରଣ ହେବା ପରେ ରେଳପଥରେ ବାସି,ଅସ୍ବାସ୍ଥ୍ୟକର ଖାଦ୍ୟ ବୃଦ୍ଧି ପାଇଛି। ଗତ ଜାନୁୟାରୀ ୧୧ ରେ କରମାଲି- ମୁମ୍ବାଇ ତେଜସ୍‌ ଏକ୍ସପ୍ରେସ୍‌ରେ ରାତ୍ରି ଭୋଜନରେ ବାସି ପଲାଉ ଖାଇ ୫ ଜଣ ଯାତ୍ରୀ ଅସୁସ୍ଥ ହୋଇଥିଲେ। ସେହି ମାସ ଜାନୁୟାରୀ ୨୪ରେ ମୁମ୍ବାଇ-ଅହମ୍ମଦାବାଦ ଜନଶତାବ୍ଦୀ ଏକ୍ସପ୍ରେସ୍‌ରେ ପ୍ରାତଃ ଭୋଜନ ସମୟରେ ବାସି ପାଉଁରୁଟି ଖାଇ ୩୬ ଯାତ୍ରୀ ଅସୁସ୍ଥ ହୋଇଥିଲେ। କେଉଁ ଟ୍ରେନ୍‌ର ଏସି ମଧ୍ୟରେ ମୂଷା ଚାଲୁଛି ତ କେଉଁଠି ରୋଷଶାଳାରେ ମୂଷା ସାଲୁବାଲୁ ହେଉଛନ୍ତି। ବନ୍ଦେ ଭାରତ ଭଳି ଟ୍ରେନ୍‌ରେ ବାସି ଖାଦ୍ୟ ଯୋଗାଣ ଯୋଗୁ ନିକଟରେ ଆକାଶ କେଶରୀ ନାମକ ଜଣେ ଯାତ୍ରୀ ନୂଆଦିଲ୍ଲୀ- ବାରାଣସୀ ଟ୍ରେନ୍‌ର ଖାଦ୍ୟ ଫେରସ୍ତ କରି ଏ ବାବଦ ଦେୟ ଫେରସ୍ତ ଆଣିଥିଲେ। ଏହାକୁ ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ବହୁ ସଂଖ୍ୟକ ଖାଦ୍ୟ ଯୋଗାଣକାରୀ କର୍ମଚାରୀଙ୍କ ଆତଯାତ ଯୋଗୁ ବଗିରେ ଯାତ୍ରୀଙ୍କ ସ୍ବାଚ୍ଛନ୍ଦ୍ୟ ଚଳପ୍ରଚଳ ବାଧାପ୍ରାପ୍ତ ହେଉଛି। ବଗିରେ ସହାୟତା ପାଇଁ ଆର୍‌ପିଏଫ୍‌ଙ୍କ ମଧ୍ୟ ଦେଖା ମିଳୁନାହିଁ। ଶୌଚାଳୟ, ବଗି ନିୟମିତ ସଫା କରାଯାଉ ନାହିଁ। ଏଥିପାଇଁ ୧୩୯କୁ ଫୋନକରି ଜଣାଇବାକୁ କୋଚ୍‌ ମଧ୍ୟରେ ବିଜ୍ଞାପନ ଲଗାଇ ଦିଆଯାଇଛି।
ବିଭିନ୍ନ ସମୟରେ କିଛି ତଥାକଥିତ ସଫଳତାର କାହାଣୀ ରେଳପଥ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଥିବା ବେଳେ ଏହାର ସମୟାନୁବର୍ତ୍ତିତା ହ୍ରାସ ପାଇଚାଲିଛି। ଏହି ସମୟାନୁବର୍ତ୍ତିତା ସାଧାରଣ ଭାବେ ୯୫% ହେବା ଆବଶ୍ୟକ। ୨୦୨୨-୨୩ରେ ଏହା ୮୩.୬୯%କୁ ଖସି ଆସିଥିବାବେଳେ ଏବେ ୬୯.୨୩%କୁ ରହିଛି। ସେହିପରି ବନ୍ଦେ ଭାରତ ୨୦୨୦-୨୧ରେ ଘଣ୍ଟା ପ୍ରତି ୮୪.୪୮ କି.ମି. ଥିବାବେଳେ ଏବେ ୭୬.୨୫ କି.ମି.କୁ ହ୍ରାସ ପାଇଛି। ରେଳପଥର ବିଭିନ୍ନ ସ୍ତରରେ ଏବେ ୩ ଲକ୍ଷ ପଦବୀ ଖାଲି ପଡ଼ିଛି। କମ୍‌ ସଂଖ୍ୟକ କର୍ମଚାରୀରେ ଅଧିକ କାମ ଆଦାୟ କରି ରେଳପଥ ଲାଭ କରିବାକୁ ଚାହୁଁଛି। ଫଳରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ସୃଷ୍ଟି ହେଉଛି। ଏଣୁ ସାଧାରଣ ଜନତାଙ୍କ ନିମନ୍ତେ ସେବା ଓ ସୁରକ୍ଷାକୁ ରେଳପଥ ପ୍ରଥମେ ବ୍ୟବସ୍ଥିତ କରିବା ଆବଶ୍ୟକ। ଏହା ପରକୁ ବିକାଶମୂଳକ କାର୍ଯ୍ୟ ବିଷୟ ଚିନ୍ତା କରାଯାଇପାରେ।
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri