ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ: ସାମିଲ ହେଲେ ବିଧାୟକଙ୍କ ସହ ଏମାନେ…

ଗଞ୍ଜାମ,୧୯।୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳିଜଗନ୍ନାଥପୁର ସ୍ଥିତ ପ୍ରଭୁ ଶ୍ରୀ ବାଲି ଲୋକନାଥଙ୍କ ମନ୍ଦିର ପରିସରରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବିଶେଷ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସ୍ବଚ୍ଛ ଭାରତ ଗ୍ରାମୀଣ ଅଭିଯାନ ଅଧୀନରେ ଆୟୋଜିତ ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ – ମିଶନ ଜିରୋ ପ୍ଲାଷ୍ଟିକ ଭିଜିବିଲିଟି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ। ଏହି ଅବସରରେ ସେ ସ୍ବଚ୍ଛତାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ସହ ପ୍ଲାଷ୍ଟିକମୁକ୍ତ ଗଞ୍ଜାମ ଗଠନ ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ଆହୱାନ ଦେଇଥିଲେ। ବିଧାୟକ ନାୟକ ପ୍ରକାଶ କରିଥିଲେ ଯେ, ଏକ ସ୍ବଚ୍ଛ ଓ ପ୍ଲାଷ୍ଟିକମୁକ୍ତ ପରିବେଶ ସୃଷ୍ଟି କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ଏହା ସମାଜର ପ୍ରତ୍ୟେକ ନାଗରିକଙ୍କ ସାମୂହିକ କର୍ତ୍ତବ୍ୟ। ବ୍ୟାପକ ସଚେତନତା ଓ ଜନ ସହଭାଗୀତା ମାଧ୍ୟମରେ ହିଁ ଆମେ ଏକ ସ୍ବଚ୍ଛ ଓ ସୁନ୍ଦର ଗଞ୍ଜାମ ଗଠନ କରିପାରିବା। ଏହି ଜନସଚେତନତା କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ଅଚ୍ୟୁତାନନ୍ଦ ଜାନୀ, କାଇଞ୍ଚପୁର ସରପଞ୍ଚଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ। ଅତିଥିମାନେ ପ୍ଲାଷ୍ଟିକର ବର୍ଜନ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ମନ୍ଦିର ପରିସରରେ ଏହି ଅଭିଯାନ ଆରମ୍ଭ କରାଯାଇ ସ୍ଥାନୀୟ ଲୋକଙ୍କୁ ସ୍ବଚ୍ଛତା ବଜାୟ ରଖିବା ପାଇଁ ଶପଥ ପାଠ କରାଯାଇଥିଲା। ଏହି ମିଶନ ଆଗାମୀ ଦିନରେ ସମଗ୍ର ଜିଲାରେ ଏକ ସକାରାତ୍ମକ ପ୍ରଭାବ ପକାଇବ ବୋଲି ପ୍ରଶାସନ ପକ୍ଷରୁ ଆଶା ପ୍ରକଟ କରାଯାଇଛି।

Odisha’s No.1 Odia Daily

Share