ନୂଆଦିଲ୍ଲୀ,୨୨।୮: ମଧ୍ୟପ୍ରଦେଶର ଭିଣ୍ଡ ଜିଲାର ଜଣେ ବ୍ୟକ୍ତି କମଲେଶ ଖୁଶୱାହା ଏକ ଅଜବ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ହେଲପଲାଇନକୁ ଫୋନ କରିଛନ୍ତି। ସ୍ୱାଧୀନତା ଦିବସ ଉତ୍ସବରେ ଗ୍ରାମ ପଞ୍ଚାୟତ ଭବନରେ ତାଙ୍କୁ ଦୁଇଟି ଲଡୁ ବଦଳରେ ଗୋଟିଏ ମାତ୍ର ଲଡୁ ଦିଆଯାଇଥିଲା।
ଘଟଣାଟି ସ୍ୱାଧୀନତା ଦିବସ ଉତ୍ସବ ସମୟରେ ଘଟିଥିଲା। ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତଙ୍କୁ ଲଡୁ ବଣ୍ଟନ କରାଯାଉଥିଲା। କମଲେଶଙ୍କ ପାଳି ଆସିବାରେ ତାଙ୍କୁ ଗୋଟିଏ ଲଡୁ ଦିଆଗଲା। ଦୁଇଟି ଲଡୁ ମାଗିବାରୁ ତାଙ୍କୁ ମନା କରାଯିବା ପରେ ସେ ପଞ୍ଚାୟତ ଭବନ ବାହାରୁ ମୁଖ୍ୟମନ୍ତ୍ରୀ ହେଲପଲାଇନକୁ ଫୋନ କରି ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି ଯେ, ପଞ୍ଚାୟତ ଲଡୁ ବଣ୍ଟନରେ ବିଫଳ ହୋଇଛି ଏବଂ ଏହାର ସମାଧାନ ଆବଶ୍ୟକ।
ପଞ୍ଚାୟତ ସେକ୍ରେଟାରୀ ରବିନ୍ଦ୍ର ଶ୍ରୀବାସ୍ତବ ଘଟଣାର ସତ୍ୟତା ନିଶ୍ଚିତ କରି କହିଛନ୍ତି, “କମଲେଶ ରାସ୍ତାରେ ଠିଆ ହୋଇଥିଲେ। ପିଅନ ତାଙ୍କୁ ଗୋଟିଏ ଲଡୁ ଦେଇଥିଲା, କିନ୍ତୁ ସେ ଦୁଇଟି ଦାବି କରିଥିଲେ। ନ ମିଳିବା ପରେ ସେ ହେଲପଲାଇନକୁ ଫୋନ କରିଥିଲେ।”
ବଦନାମ ନିୟନ୍ତ୍ରଣ ପାଇଁ ପଞ୍ଚାୟତ ବଜାରରୁ ଏକ କିଲୋ ମିଠା କିଣି ଅଭିଯୋଗକାରୀଙ୍କୁ କ୍ଷମା ମାଗି ଶାନ୍ତ କରିବାକୁ ନିଷ୍ପତ୍ତି ନେଇଛି।
ଉଲ୍ଲେଖଯୋଗ୍ୟ, ୨୦୨୦ ଜାନୁଆରୀରେ ଭିଣ୍ଡ ଜିଲାର ଜଣେ ଗାଁଲୋକ ଖରାପ ହ୍ୟାଣ୍ଡପମ୍ପ ନେଇ ହେଲପଲାଇନରେ ଅଭିଯୋଗ କରିଥିଲେ। ସେତେବେଳେ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ବିଭାଗର ଅଧିକାରୀ ଅଭିଯୋଗକାରୀଙ୍କୁ “ପାଗଳ” ବୋଲି କହି ବିବାଦ ସୃଷ୍ଟି କରିଥିଲେ, ଯାହା ପରେ ତାଙ୍କୁ ନୋଟିସ ଜାରି ହୋଇଥିଲା।

