ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

କଟକ ଅଫିସ,୧୦ା୧: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଫଳ ସୋମବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୨ଟି ପେପରରେ ମୋଟ ପାସ୍‌ ହାର ୪୯. ୮୪ ପ୍ରତିଶତ ହୋଇଛି। ଓଟିଇଟି ପରୀକ୍ଷା ଦେବାକୁ ୩୨ହଜାର ୪୪୮ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩୧ ହଜାର ୪୯୨ଜଣ ପରୀକ୍ଷା ଦେଇଥିବାବେଳେ ୯୫୬ଜଣ ଅନୁପସ୍ଥିତ ଥିଲେ। ୧୬ ହଜାର ୧୭୧ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ବୋର୍ଡ ପକ୍ଷରୁ ଓଟିଇଟିର ୨ଟି ପେପରରେ ପରୀକ୍ଷା ହୋଇଥିଲା। ପେପର-୧ରେ ପରୀକ୍ଷା ଦେବାକୁ ୨୪ ହଜାର ୯୨୦ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୨୪ ହଜାର ୨୩୬ଜଣ ପରୀକ୍ଷା ଦେଇଥିଲେ ଏବଂ ୬୮୪ ଜଣ ଅନୁପସ୍ଥିତ ଥିଲେ। ୧୧ ହଜାର ୯୫୫ ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାସ୍‌ ହାର ୪୭.୯୭ ପ୍ରତିଶତ ହୋଇଛି। ସେହିପରି ପେପର-୨ରେ ୭ହଜାର ୫୨୮ଜଣ ପରୀକ୍ଷା ଦେବାକୁ ଫର୍ମପୂରଣ କରିିଥିଲେ। ୭ହଜାର ୨୫୬ଜଣ ପରୀକ୍ଷାରେ ଉପସ୍ଥିତ ଥିବାବେଳେ ୨୭୨ଜଣ ଅନୁପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୪ ହଜାର ୨୧୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ ହାର ୫୬ ପ୍ରତିଶତ ହୋଇଥିବା ବୋର୍ଡ ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।