Posted inଖେଳ

ଫ୍ରେଞ୍ଚ୍‌ ଓପନରୁ ଓହରିଲେ ଓସାକା: ମାନସିକ ଅବସାଦ କାରଣରୁ ନିଷ୍ପତ୍ତି ନେଲେ

ପ୍ୟାରିସ୍‌,୨।୬(ଏପି): କ୍ରୀଡ଼ାରେ ମାନସିକ ଅବସାଦ ତଥା ଦୁଶ୍ଚିନ୍ତାର ପ୍ରଭାବ ରହିବା ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରୀଡ଼ାବିତ୍‌, କ୍ରିକେଟର ମାନସିକ ଅବସାଦ ପାଇଁ ଖେଳ ଛାଡ଼ିବାର ଏକାଧିକ ଉଦାହରଣ ରହିଛି। ଏବେ ଟେନିସରେ ଏହା ଦେଖିବାକୁ ମିଳିଛି। ୪ଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ହାସଲ କରିଥିବା ଜାପାନର ୨୩ ବର୍ଷୀୟା ମହିଳା ତାରକା ଟେନିସ ଖେଳାଳି ନାଓମି ଓସାକା ଦୁଶ୍ଚିନ୍ତା ତଥା ମାନସିକ ଅବସାଦର ଶିକାର ହୋଇ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ଫଳରେ ସମଗ୍ର କ୍ରୀଡ଼ା ଜଗତରେ ଚର୍ଚ୍ଚା ସୃଷ୍ଟି ହୋଇଛି। ବିଶ୍ୱର ୨ ନମ୍ବର ଖେଳାଳି ରବିବାର ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଫ୍ରେଞ୍ଚ୍‌ ଓପନ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ରୋମାନିଆର ପାଟ୍ରିସିଆ ଟିଗ୍‌ଙ୍କୁ ୬-୪, ୭-୬ ସେଟ୍‌ରେ ପରାସ୍ତ କରି ଅଗ୍ରଗତି କରିଥିଲେ। ସେ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରୁ ଓହରିଯାଇ କ୍ରୀଡ଼ା ଜଗତରେ ହଇଚଇ ସୃଷ୍ଟି କରିଛନ୍ତି। ପ୍ରଥମେ ମିଡିଆକୁ ଏଡାଇଯିବା, ପରେ ଜରିମାନା ଓ ଶେଷରେ ଓହରିବା ନିଷ୍ପତ୍ତି ନେଇଥିବାରୁ ଓସାକାଙ୍କୁ ନେଇ ବାଦବିବାଦ ଦେଖାଦେଇଛି।
ଟୁଇଟ୍‌ କରି ଓସାକା ଏ ସମ୍ପର୍କରେ ସୂଚନା ଦେଇଥିଲେ। ୨୦୧୮ ୟୁଏସ୍‌ ଓପନ୍‌ରୁ ସେ ଡିପ୍ରେସନର ଶିକାର ହୋଇଥିଲେ ବୋଲି କହିଛନ୍ତି। ବିଶ୍ୱର ସବୁଠାରୁ ଆୟକାରୀ ମହିଳା ଖେଳାଳିର ମାନ୍ୟତା ପାଇଥିବା ଓସାକା ମାନସିକ ଅବସାଦ, ଚିନ୍ତାର ଶିକାର ହୋଇଛନ୍ତି ଓ ଟୁର୍ନାମେଣ୍ଟରୁ ଓହରିବା ତାଙ୍କ ପାଇଁ ଶ୍ରେୟସ୍କର ବୋଲି କହିଛନ୍ତି। ତେବେ ଟୁର୍ନାମେଣ୍ଟରୁ ଓହରିବାର ଟାଇମିଂ ଠିକ୍‌ ନୁହେଁ ବୋଲି ସେ ସ୍ବୀକାର କରିଛନ୍ତି।
ଡିପ୍ରେସନ ପାଇଁ ଓସାକା ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି ବୋଲି ଓସାକାଙ୍କ ଏଜେଣ୍ଟ ଷ୍ଟୁଆର୍ଟ ଡୁଗୁଇଡ୍‌ କହିଛନ୍ତି। ୨୩ ବର୍ଷରେ ପଦାର୍ପଣ କରିବାର ଗୋଟିଏ ଦିନ ପରେ ଓସାକା ଏହି ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଛନ୍ତି। ଜାପାନ ଜନ୍ମିତ ଓସାକା ମାତ୍ର ୩ ବର୍ଷ ବୟସରେ ପରିବାର ସହ ଆମେରିକା ଚାଲିଆସିଥିଲେ। ତାଙ୍କର ଏହି ନିଷ୍ପତ୍ତିକୁ ଅବଶ୍ୟ ବିଭିନ୍ନ କ୍ରୀଡ଼ାବିତ୍‌ମାନେ ସମର୍ଥନ ଜଣାଇଛନ୍ତି। ଓସାକାଙ୍କ ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ଫ୍ରେଞ୍ଚ୍‌ ଟେନିସ ଫେଡେରେଶନ ଅଧ୍ୟକ୍ଷ ଗାଏଲ୍ସ ମୋରେଟନ କହିଛନ୍ତି। ସେ ଖୁବ୍‌ଶୀଘ୍ର ମାନସିକ ଅବସାଦରୁ ମୁକ୍ତିଲାଭ କରନ୍ତୁ ଓ ଆସନ୍ତା ବର୍ଷ ସେ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରନ୍ତୁ ବୋଲି କହିଛନ୍ତି।
ଫ୍ରେଞ୍ଚ୍‌ ଓପନରେ ଓସାକା ସେତେଟା ସଫଳ ନୁହନ୍ତି
ରେଡ୍‌ କ୍ଲେ କୋର୍ଟରେ ଖେଳାଯାଉଥିବା ଫ୍ରେଞ୍ଚ୍‌ ଓପନରେ ଓସାକା ଅବଶ୍ୟ ସେତେଟା ସଫଳତା ହାସଲ କରିନାହାନ୍ତି। ଏକ ଗ୍ରାଣ୍ଡସ୍ଲାମ ଜିତିବାକୁ ହେଲେ କ୍ରମାଗତ ଭାବେ ୭ଟି ବିଜୟ ହାସଲ କରିବାକୁ ହୋଇଥାଏ। ଓସାକା ପୂର୍ବରୁ ଫ୍ରେଞ୍ଚ୍‌ ଓପନରେ କେବେହେଲେ ତୃତୀୟ ରାଉଣ୍ଡ ଅତିକ୍ରମ କରିନାହାନ୍ତି। ସେ ହାର୍ଡକୋର୍ଟ ଟୁର୍ନାମେଣ୍ଟରେ ୪ଟି ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ସେ ୨୦୧୮ ଓ ୨୦୨୦ରେ ୟୁଏସ୍‌ ଓପନ ଜିତିଛନ୍ତି। ସେହିପରି ସେ ୨୦୧୯ ଓ ୨୦୨୧ରେ ଅଷ୍ଟ୍ରେଲିଆନ ଓପନରେ ଚାମ୍ପିୟନ ହୋଇଥିଲେ।
ଖବରଦାତା ସମ୍ମିଳନୀ ଏଡ଼ାଇବାରୁ ୧୦ ଲକ୍ଷ ଟଙ୍କା ଜରିମାନା
ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଜିତିବା ପରେ ଖବରଦାତା ସମ୍ମିଳନୀରେ ଯୋଗ ନ ଦେବାରୁ ଫ୍ରେଞ୍ଚ୍‌ ଓପନ ଟୁର୍ନାମେଣ୍ଟ ରେଫରି ଓସାକାଙ୍କ ଉପରେ ୧୫,୦୦୦ ଆମେରିକୀୟ ଡଲାର ତଥା ପାଖାପାଖି ୧୦ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଗଣମାଧ୍ୟମଠାରୁ ଦୂରେଇ ରହିବାର ଏଭଳି ଆଚରଣ ଜାରି ରଖିଲେ ତାଙ୍କ ଉପରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇଛନ୍ତି। ଫ୍ରେଞ୍ଚ୍‌ ଟେନିସ ଫେଡେରେଶନ (ଏଫ୍‌ଟିଏଫ୍‌) ଅଧ୍ୟକ୍ଷ ମୋରେଟନ ଓ ଅନ୍ୟ ୩ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟ ମିଳିତ ଭାବେ ମନ୍ତବ୍ୟ ଦେଇ ଏହି ଜରିମାନା ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ଓସାକା ଗତ ବୁଧବାର ଫ୍ରେଞ୍ଚ୍‌ ଓପନ ଖେଳିବା ଅବସରରେ କୌଣସି ଖବରଦାତା ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ତେବେ ଏହି ନିଷ୍ପତ୍ତି କାରଣରୁ ଯଦି କୌଣସି ଖବରଦାତା ଆଘାତ ପାଇଛନ୍ତି ତାହାହେଲେ କ୍ଷମାମାଗୁଛି ବୋଲି ସେ ଟୁଇଟ୍‌ କରି ଉଲ୍ଲେଖ କରିଥିଲେ। ସ୍ବତଃପ୍ରବୃତ୍ତ ଭାବେ ଭଲ କଥା କହିପାରି ନ ଥାଏ। ତେଣୁ ସାରା ବିଶ୍ୱର ଗଣମାଧ୍ୟମ ସହ କଥା ହେବା ପୂର୍ବରୁ ଅତ୍ୟଧିକ ଭାବେ ଚିନ୍ତା, ନର୍ଭସ ଓ ଉଦ୍‌ବେଗର ଶିକାର ହୋଇଥାଏ ବୋଲି ସେ କହିଛନ୍ତି। ବର୍ତ୍ତମାନ ପାଇଁ ଟେନିସ କୋର୍ଟରୁ ଦୂରେଇ ରହିବି ବୋଲି ସେ କହିଛନ୍ତି।
କ’ଣ କହୁଛି ଟେନିସର ନିୟମ
ଖବରଦାତା ସମ୍ମିଳନୀରେ ନ ପହଞ୍ଚିବା ପରେ ଓସାକାଙ୍କ ଉପରେ ଆୟୋଜକମାନେ କ୍ଷୁବ୍ଧ ହୋଇଥିଲେ। ତେବେ ସେ ଯଦି ଏଭଳି କରିବା ଜାରି ରଖନ୍ତି ତା’ହେଲେ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇପାରେ। ଟେନିସ ଆଚରଣ ବିଧି ୩ ଏଚ୍‌ ଅନୁସାରେ ଖେଳାଳିମାନେ ଖବରଦାତା ସମ୍ମିଳନୀରେ ଯୋଗଦେବା ଦ୍ୱାରା ଟେନିସ ଖେଳର ପ୍ରଚାର ତଥା ପ୍ରସାର ହୋଇଥାଏ। ତେଣୁ ଖେଳାଳିମାନେ ଗଣମାଧ୍ୟମ କାର୍ଯ୍ୟକଳାପରେ ଜଡ଼ିତ ରହିବା ଅପରିହାର୍ଯ୍ୟ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri