ଯୁଗ୍ମ ତଦନ୍ତ କଲେ ଓଆର୍‌ଏସ୍‌ଏସି,ମାଇନିଂ ଅଫିସର

ନୟାଗଡ଼ ଅଫିସ,୭।୪: ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଗୋତିସାହି ଆରଆଇ ଅଫିସର ପୁଆଣିଆଁସ୍ଥ ଟାଙ୍ଗିରି ପାହାଡ଼ ପଥର ଖଣିକୁୂ ଓଡିଶା ସ୍ପେଶ ଆପ୍ଲିକେଶନ (ଓଆରଏସଏସି)ର ୫ଜଣିଆ ଟିମ୍‌ ଓ ମାଇନିଂ ଅଫିସର ତଥା ଓଡ଼ଗାଁ ତହସିଲଦାର ଅନୀଲ କୁମାର ଆଚାର୍ଯ୍ୟ ଗୁରୁବାର ପରିଦର୍ଶନ କରିଛନ୍ତି। ଏହି ଖଣିରେ କେତେ ଖଣି ଖନନ କରିବା କଥା, କେତେ ଖନନ ହୋଇଛି ତା’ର ଯୁଗ୍ମ ତଦନ୍ତ କରାଯାଇଛି। ଓଆରଏସ୍‌ଏସି ଟିମ୍‌ ଓଡ଼ଗାଁ ତହସିଲଦାରଙ୍କୁ ରିପୋର୍ଟ ଦେବା ପରେ ଏହା ଇସ୍ପାତ୍‌ ଓ ଖଣି ବିଭାଗକୁ ହସ୍ତାନ୍ତର କରାଯିବ। ତେବେ ବେଆଇନ ଖନନ ନେଇ ୧୪ ଲକ୍ଷ ୪୪ ହଜାର ୯୩୨ ଟଙ୍କା ଫାଇନ ହୋଇଛି। ସୂଚନାଯୋଗ୍ୟ, ରାଜସ୍ବ ବିଭାଗ ଅଧୀନରେ ଥିବା ସମସ୍ତ ପଥର ଖଣି ଏବେ ଇସ୍ପାତ୍‌ ଓ ଖଣି ବିଭାଗକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ଏପରି ତଦନ୍ତ ହୋଇଛି । ତେବେ ଏହି ଖଣି ଉପରେ ବିଭିନ୍ନ ପ୍ରକାରର ଅଭିଯୋଗ ଥିବାରୁ ଏହାକୁ ପ୍ରଥମେ ତଦନ୍ତ କରାଯାଇଥିବା ଜଣାପଡିଛି।
ଅଭିଯୋଗ ଅନୁଯାୟୀ, ପୁଆଣିଆଁ ଟାଙ୍ଗିରି ପାହାଡ଼ରେ କ୍ରଶର ଚାଲିବାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରୁଥିବାବେଳେ ପ୍ରଶାସନ ଲୋକଙ୍କ ଅଭିଯୋଗକୁ ଅଣଦେଖା କରିଆସୁଛି । ଏଠାରେ ଯେଉଁ କ୍ରଶର ଚାଲୁଥିଲା ତାର ସମୟ ୨୦୨୩ ମାର୍ଚ୍ଚ ୩୧ଥିଲା । ତେବେ ସମୟ ଅତିକ୍ରମ ପରେ ବି ପୁଆଣିଆଁ କ୍ରଶର ଚାଲୁଛି ବୋଲି ଅଭିଯୋଗ ରହିଛି। ପ୍ରତିଦିନ ସନ୍ଧ୍ୟାରେ ମୁଣ୍ଡିଆରେ ବ୍ଲାଷ୍ଟିଂ ହେଉଛି। ବ୍ଲାଷ୍ଟିଂ ଯୋଗୁ ଛାତ ଘରେ ଫାଟ ସୃଷ୍ଟି ହେଲାଣି । ଶସ୍ୟକ୍ଷେତ୍ରରେ ପଥର ଖଣ୍ଡ ପଡି ଫସଲ ନଷ୍ଟ ହେଉଛି। ଗ୍ରାମ ମଧ୍ୟରେ ସବୁବେଳେ ଟ୍ରକ, ହାଇୱା ପରି ଭାରିଯାନ ଯାତାୟାତ ଯୋଗୁ ରାସ୍ତା ନଷ୍ଟ ହୋଇ ମରଣଯନ୍ତା ପାଲଟିଛି। ଅନ୍ୟପକ୍ଷେ ବର୍ଷକୁ ୧୯୮୦ କ୍ୟୁବିକ ମିଟର ଖନନ ପାଇଁ ନିର୍ଦ୍ଦେଶ ଥିବାବେଳେ ମାସକରେ ଏହାକୁ ଶେଷ କରି ଏହାର ୧୨ ଗୁଣା ଖନନ ଶେଷ ହେଲାଣି। ପୁଣି ବେଆଇନ ଭାବେ ରାସ୍ତା ନିର୍ମାଣ କରାଯାଉଛି। ଗଛ କାଟି ଜଙ୍ଗଲରୁ ଅନୁରୂପ ଭାବେ ଜଙ୍ଗଲକୁ ପଦା କରା ଚାଲିଛି ବୋଲି ଅଭିଯୋଗ ହେଉଛି। ଏନେଇ ଓଡ଼ଗାଁ ତହସିଲଦାର ଅନୀଲ କୁମାର ଆଚାର୍ଯ୍ୟ କୁହନ୍ତି, ମାର୍ଚ୍ଚ ମାସରେ ବେଆଇନ ଖନନ ନେଇ ୧୪ ଲକ୍ଷ ୪୪ ହଜାର ୯୩୨ ଟଙ୍କା ଫାଇନ ହୋଇଥିଲା । ଫାଇନ ଟଙ୍କା ଡିପୋଜିଟ୍‌ ହୋଇଛି । ଓଆରଏସ୍‌ଏସି ଟିମ୍‌ର ରିପୋର୍ଟ ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ପଥର ଖଣିକୁ ଇସ୍ପାତ୍‌ ଓ ଖଣି ବିଭାଗକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି।