ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଓଆର୍‌ଏସ୍‌ ବୋହିନେଲେ

ବଅଁରପାଳ, ୬ା୪ (ଡି.ଏନ.ଏ.): ଅନୁଗୋଳ ଜିଲା ମହୀଧରପୁର ଫାଣ୍ଡି ଭଗାମଣ୍ଡା ପୋଲ ନିକଟରେ ବୁଧବାର ଏକ ଓଆର୍‌ଏସ୍‌ ବୋଝେଇ ମିନିଟ୍ରକ୍‌ ଓଲଟି ପଡ଼ିଥିବା ବେଳେ ଲୋକେ ସେଥିରୁ ଓଆର୍‌ଏସ୍‌ ବୋହି ନେବା ଚର୍ଚ୍ଚାର ବିଷୟ ହୋଇଛି। ଖବରପାଇ ମହୀଧରପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ଦୁର୍ଘଟଣା ପରେ ଗାଡ଼ି ଚାଳକ ଫେରାର ହୋଇଯାଇଛନ୍ତି। ପ୍ରକାଶ ଯେ, ଏକ ଓଆର୍‌ଏସ୍‌ ବଟଲ ବୋଝେଇ ଗାଡ଼ି (ନଂ ଓଡି୦୫ ବି.କେ.-୦୬୪୩) ଅନୁଗୋଳରୁ ମହୀଧରପୁର ଦେଇ ସକାଳ ୯ଟାରେ ଯାଉଥିବା ବେଳେ ଫୁଲପଡା ଠାରୁ ୨ କିଲୋମିଟର ଦୂର ଭଗାମୁଣ୍ଡା ପୋଲ ନିକଟରେ ଓଲଟି ପଡିଥିଲା। ଏହାର ସୁଯୋଗ ନେଇ ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ଗାଡ଼ିରୁ ଓଆର୍‌ଏସ୍‌ ବଟଲ ବୋହି ନେଇଥିଲେ। ପୋଲିସ ପହଞ୍ଚି ଓଲଟି ପଡ଼ିଥିବା ଗାଡ଼ିକୁ କ୍ରେନ ସହାୟତାରେ ରାସ୍ତା ପାର୍ଶ୍ୱରୁ ହଟାଇ ଦେଇଛି। ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ହମ୍ପସ ନିର୍ମାଣର ଆବଶ୍ୟକତା ଥିବା ଅଞ୍ଚଳବାସୀ କହିଛନ୍ତି।