ବାସହରା ହେଲେ ଅନାଥ ଭଉଣୀଭାଇ

ମୋରଡ଼ା, ୮।୫ (ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ରାସଗୋବିନ୍ଦପୁର ଏବଂ ବେତନଟି ରେଞ୍ଜ୍‌ ଅଞ୍ଚଳରେ ବର୍ଷତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବହୁ ଧନଜୀବନ ନଷ୍ଟ ହେଉଛି। ଏଥିରେ ଲୋକେ ଅତିଷ୍ଠ ହେଲେଣି। ହାତୀଙ୍କ ଉତ୍ପାତ ରୋକିବାରେ ପ୍ରଶାସନ ବିଫଳ ହେଉଥିବା ଅଭିଯୋଗ କରୁଛନ୍ତି ଲୋକେ। ବେତନଟି ରେଞ୍ଜ୍‌ ଅଧୀନ ଭାଲିଆଡିହା ପଞ୍ଚାୟତ ଡାକୋଇ ଅମଣନାମା ଗ୍ରାମର ଅନାଥ ଭଉଣୀ କାପୁରା ସୋରେନ (୨୦) ଏବଂ ତାଙ୍କ ସାନଭାଇଙ୍କ ଘର ହାତୀ ଭାଙ୍ଗି ଦେଇଛି। ପିଲାଟି ବେଳୁ ସେମାନେ ମା’ ବାପାଙ୍କୁ ହରାଇଥିବା ବେଳେ ଏକ ଚାଳ ଛପର ଘରେ ରହି ଆସୁଥିଲେ। ଶନିବାର ବିଳମ୍ବିତ ରାତିରେ ସେମାନେ ଘରେ ଶୋଇଥିବା ବେଳେ ହାତୀ ଘର ଉପରେ ଆକ୍ରମଣ କରିଥିଲା। ଭଉଣୀଭାଇ ଜୀବନ ବିକଳରେ ଦୌଡ଼ି ପଳାଇବାରୁ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲେ ହାତୀ ଆକ୍ରମଣରେ ସେମାନଙ୍କ ଘରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବାରୁ ଦୁହେଁ ବାସହରା ହୋଇଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହି ଅନାଥ ଭଉଣୀଭାଇଙ୍କୁ ଏକ ବାସଗୃହ ଯୋଗାଇଦେବା ସହ ସହାୟତା ପ୍ରଦାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।